ମୁମ୍ବାଇ,୧୯ା୫: ନ୍ୟାୟପାଳିକା କି କାର୍ଯ୍ୟପାଳିକା ନୁହେଁ, ବରଂ ଦେଶର ସମ୍ବିଧାନ ସବୁଠୁ ଉଚ୍ଚରେ। ସମ୍ବିଧାନର ୩ ସ୍ତମ୍ଭ ଏକାଠି ହୋଇ କାର୍ଯ୍ୟ କରିବା ଜରୁରୀ ବୋଲି ରବିବାର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ବି.ଆର୍. ଗବଇ ଗୁରୁତ୍ୱାରୋପ କରିଛନ୍ତି। ଚଳିତ ସପ୍ତାହରେ ୫୨ତମ ସିଜେଆଇ ରୂପେ ଶପଥ ନେଇଥିବା ଜଷ୍ଟିସ୍ ଗବଇ ମହାରାଷ୍ଟ୍ର ଓ ଗୋଆ ବାର୍ କାଉନ୍ସିଲ ପକ୍ଷରୁ ମୁମ୍ବାଇରେ ଆୟୋଜିତ ସମ୍ବର୍ଦ୍ଧନା ସଭାକୁ ସମ୍ବୋଧିତ କରି କହିଛନ୍ତି, ସମ୍ବିଧାନର ୩ ସ୍ତମ୍ଭ ନ୍ୟାୟପାଳିକା, ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ସମାନ। ପ୍ରତ୍ୟେକ ସ୍ତମ୍ଭ ପରସ୍ପରକୁ ସମ୍ମାନ ଦେଇ ସହଯୋଗୀ ଭାବେ କାର୍ଯ୍ୟ କରିବା ଉଚିତ। ଯଦିଓ ସଂସଦର ସମ୍ବିଧାନ ସଂଶୋଧନ କ୍ଷମତା ରହିଛି, ତଥାପି ସାମ୍ବିଧାନିକ ଢାଞ୍ଚାର ମୌଳିକ ସିଦ୍ଧାନ୍ତକୁ ପାର୍ଲାମେଣ୍ଟ ସ୍ପର୍ଶ କରିପାରିବ ନାହିଁ।
ନ୍ୟାୟପାଳିକାର ଭୂମିକାକୁ ନେଇ ବିତର୍କ ଜାରି ରହିଥିବାବେଳେ ନିଜ ରାଜ୍ୟ ମହାରାଷ୍ଟ୍ରକୁ ଗସ୍ତ ଅବସରରେ ସିଜେଆଇ ଗବଇ ପ୍ରଟୋକଲରେ ରହିଥିବା ବ୍ୟବଧାନକୁ ରେଖାଙ୍କିତ କରିଛନ୍ତି। ଯେତେବେଳେ ମହାରାଷ୍ଟ୍ରର ଜଣେ ବ୍ୟକ୍ତି ସିଜେଆଇ ହୋଇ ନିଜ ରାଜ୍ୟକୁ ଆସୁଛନ୍ତି, ସେତେବେଳେ ପୋଲିସ ମହାନିର୍ଦ୍ଦେଶକ କିମ୍ବା ପୋଲିସ କମିଶନର ଉପସ୍ଥିତ ନ ରହିବା ଦୁର୍ଭାଗ୍ୟଜନକ। ପ୍ରଟୋକଲ କିଛି ନୂଆ କଥା ନୁହେଁ। ଏହା ଏକ ସାମ୍ବିଧାନିକ ସଂସ୍ଥା ଅନ୍ୟ ଏକ ସାମ୍ବିଧାନିକ ସଂସ୍ଥାକୁ ଦେଉଥିବା ସମ୍ମାନ। ସିଜେଆଇ ଆହୁରି କହିଛନ୍ତି, ସମ୍ବିଧାନର ଅନୁଚ୍ଛେଦ ୧୪୨ ସୁପ୍ରିମକୋର୍ଟଙ୍କୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରିଛି। ବିଚାରପତିମାନେ ପ୍ରଟୋକଲ ଭାଙ୍ଗିଲେ ମଧ୍ୟ ଅନୁଚ୍ଛେଦ ୧୪୨ ଲାଗୁହେବ। ସେହିପରି ‘ବୁଲ୍ଡୋଜର ନ୍ୟାୟ’ କଥା ଉଠାଇ ଆଶ୍ରୟ ଅଧିକାରକୁ ସର୍ବୋପରି ବୋଲି ସିଜେଆଇ କହିଛନ୍ତି।