ରାଜ୍ୟର ସବୁ ଥଣ୍ଡା ସହର ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୧୭।୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଚଳିତ ଶୀତ ଋ଼ତୁରେ
ଓଡ଼ିଶାରେ ସବୁଠାରୁ କମ ତାପମାତ୍ରା ଓ ଶୀତଳତମ ସହର କନ୍ଧମାଳ ଜିଲାର ଜି.ଉଦୟଗିରି। ହାଡ଼ଭଙ୍ଗା ଶୀତରେ ଥରୁଛି ସମଗ୍ର ଅଞ୍ଚଳ। ବେଶି ପ୍ରଭାବିତ ଆଭ୍ୟନ୍ତରୀଣ ଅଞ୍ଚଳ ତଥା ପାହାଡ଼ ଜଙ୍ଗଲ ନିକଟରେ ରହୁଥିବା ଜନସାଧାରଣ।ଏଭଳି ହାଡ଼ଭଙ୍ଗା ଥଣ୍ଡା ଯୋଗୁ ପ୍ରଭାବିତ ହୋଇଛି ଦୈନନ୍ଦିନ ଜୀବନଶୈଳୀ। ଜି.ଉଦୟଗିରି ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସହ ପ୍ରବଳ ଶୀତ ଅନୁଭୂତ ଅଞ୍ଚଳ ହୋଇଥିଲେ ମଧ୍ୟ ଜିଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ଅଞ୍ଚଳର ସାମୂହିକ ବିକାଶ ପାଇଁ କୌଣସି ପଦକ୍ଷେପ ନ ନେବା ସାଧାରଣରେ ଆଲୋଚନାର ବିଷୟ ହୋଇଛି।

ଜିଲାରେ ଦାରିଙ୍ଗବାଡ଼ି, ଫୁଲବାଣୀଠାରୁ ମଧ୍ୟ କମ ତାପମାତ୍ରା ସହ ପ୍ରବଳ ଶୀତ ଅନୁଭୂତ ଅଞ୍ଚଳ କିନ୍ତୁ ଅବହେଳିତ। ସରକାରୀ ପାଣିପାଗ ବିଭାଗର ସୂଚନା ଅନୁସାରେ, ଶନିବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା ଜି.ଉଦୟଗିରିରେ ୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହି ଶୁକ୍ରବାର ଜି.ଉଦୟଗିରିରେ ତାପମାତ୍ରା ୨.୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବାବେଳେ ଫୁଲବାଣୀ ୫.୫ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ରେକର୍ଡ ହୋଇଥିଲା।
ସରକାରୀ ତଥ୍ୟ ଅନୁସାରେ, ଓଡ଼ିଶାରେ ସବୁଠାରୁ କମ ତାପମାତ୍ରା ଜି.ଉଦୟଗିରି ସହରରେ ରହିଛି। ସହରଠାରୁ କିଛି ଦୂର ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ପ୍ରାୟତଃ ୧ ଡିଗ୍ରୀ ରହୁଥିବା ନେଇ ଅନୁମାନ କରାଯାଉଛି। ପ୍ରବଳ ଜାଡ ଯୋଗୁ ଲୋକେ ଘରୁ ବାହାରିବା କଷ୍ଟ ହେଉଛି ଅଞ୍ଚଳରେ ଥିବା ସମସ୍ତ ପ୍ରାକୃତିକ ପର୍ଯ୍ୟଟନ ସ୍ଥାନରେ ଶୀତର ମଜା ନେବା ପାଇଁ ପର୍ଯ୍ୟଟକମାନଙ୍କ ବଣଭୋଜିର ଆସର ଦେଖିବାକୁ ମିଳିଛି। ସରକାରଙ୍କ ତରଫରୁ ପର୍ଯ୍ୟଟନ କ୍ଷେତ୍ରରେ ଜି.ଉଦୟଗିରି ବହୁ ପଛରେ ଥିବା ନେଇ ବୁଦ୍ଧିଜିବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଏଠାରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ପୁନରୁଦ୍ଧାର ସହ ପ୍ରଚାର ପ୍ରସାର କରିବା ପାଇଁ ସାଧାରଣରେ ଦାବି ହେଉଛି।

ସ୍ଥାନୀୟ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ସ୍ଥାନ କଳିଙ୍ଗା ଘାଟି,କଳିଙ୍ଗା ବଟାନିକାଲ ଗାର୍ଡେନ, ସିର୍କି ଡ୍ୟାମ,କଲିନାଯୁ ଡ୍ୟାମ, ମଧୁଝରି ଘାଇ, କାକଲବାକି ଜଳ ପ୍ରପାତ,ଗଡ଼ିଶୀଲା ଜଳ ପ୍ରପାତ, କଫି ବଗିଚା, କାଲିଗାଡୁ ହିଲଟପ ଭଳି ସ୍ଥଳୀକୁ ଯାତାୟତ ସୁବିଧା ସହ ଭିତ୍ତିଭୂମିର ବିକାଶ କରିବା ପାଇଁ ଦୃଢ଼ ଦାବି କରିଛନ୍ତି ଅଞ୍ଚଳବାସୀ। ପ୍ରାକୃତିକ ସୌନ୍ଦର୍ଯ୍ୟ ଯୁବପିଢ଼ିଠୁ ବୟସ୍କ ପର୍ଯ୍ୟନ୍ତ ମନ ମୁଗ୍ଧ କରୁଛି। ପ୍ରବଳ ଶୀତକୁ ଦେଖି ଅଞ୍ଚଳବାସୀଙ୍କ ସହଯୋଗରେ ଶୀତ ମହୋତ୍ସବ କମିଟି ପ୍ରଥମଥର ପାଇଁ ‘ଶୀତ ମହୋତ୍ସବ ତୁଷାର’ର ଆୟୋଜନ ଜୋରସୋରରେ କରୁଥିବା ଦେଖିବାକୁ ମିଳିଛି।

 

Dharitri – Odisha’s No.1 Odia Daily