ନୂଆଦିଲ୍ଲୀ, ୧୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଡାକିବାକୁ ଶନିବାର କଂଗ୍ରେସ ପ୍ରସ୍ତାବ ଦେଇଛି। ୧୯୭୧ ଯୁଦ୍ଧ ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱକୁ ମନେ ପକାଇ ସରକାର ସବୁ ଦଳଙ୍କୁ ବିଶ୍ୱାସକୁ ନେବା ଆବଶ୍ୟକ ବୋଲି କଂଗ୍ରେସ ନେତାମାନେ କହିଛନ୍ତି।
ଏଥିସହିତ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡକାଯାଇ ଗତ ୧୮ ଦିନ ମଧ୍ୟରେ ଘଟିଥିବା ଘଟଣା ସମ୍ପର୍କରେ ଆଲୋଚନା କରାଯିବାକୁ ବିରୋଧୀ ଦଳ ଦାବି କରିଛି। ଭାରତ ଓ ପାକିସ୍ତାନ ଅସ୍ତ୍ରବିରତି ପାଇଁ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶନିବାର ଅପରାହ୍ନରେ କହିବାର କିଛି ସମୟ ପରେ ବହିର୍ବ୍ୟାପାର ସଚିବ ବିକ୍ରମ ମିସ୍ରି ଏହା ଘୋଷଣା କରିଥିଲେ। ଉଭୟ ଦେଶର ସାମରିକ ଅଭିଯାନ ମହାନିର୍ଦ୍ଦେଶକ ଜଳ, ସ୍ଥଳ ଓ ଆକାଶରେ ସମସ୍ତ ଗୁଳି ବିନିମୟ ଓ ସାମରିକ କାର୍ଯ୍ୟାନୁଷ୍ଠାନ ଅପରାହ୍ନ ୫ଟାରୁ ବନ୍ଦ ରଖିବାକୁ ରାଜି ହୋଇଥିବା ମିସ୍ରି କହିଥିଲେ।
ହେଲେ ଏହାର ୩ ଘଣ୍ଟା ପରେ ପାକିସ୍ତାନୀ ସେନା ଜମ୍ମୁ-କଶ୍ମୀର, ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟ ଭଳି ସୀମାନ୍ତ ରାଜ୍ୟଗୁଡ଼ିକୁ ପୁନର୍ବାର ଟାର୍ଗେଟ କରିଛି। ପାକ୍ ରେଞ୍ଜର୍ସ ଅସ୍ତ୍ରବିରତି ଉଲ୍ଲଂଘନ କରି ନିୟନ୍ତ୍ରଣ ରେଖା ଓ ଅନ୍ତର୍ଜାତୀୟ ରେଖାରେ ତୁହାକୁତୁହା ଗୁଳିଗୋଳା ବର୍ଷଣ କରୁଛନ୍ତି। ସେହିପରି ଉତ୍ତର ଓ ପଶ୍ଚିମ ଭାରତର ଅନେକ ସହର ଆକାଶରେ ପାକିସ୍ତାନୀ ଡ୍ରୋନ୍ ଚକ୍କର ମାରୁଥିବା ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ସହରଗୁଡ଼ିକରେ ବ୍ଲାକ୍ଆଉଟ୍୍ ଘୋଷଣା କରାଯିବା ସହ ଯୁଦ୍ଧ ସାଇରନ୍ ବଜାଇ ଜନସାଧାରଣଙ୍କୁ ସତର୍କ କରାଯାଉଛି।