“ସମସ୍ତ ଭାରତୀୟ ପାଇଲଟ ଘରକୁ ଫେରିଛନ୍ତି”: ଅପରେସନ ସିନ୍ଦୂର ଉପରେ ବାୟୁସେନାର ବଡ ବୟାନ

ନୂଆଦିଲ୍ଲୀ,୧୧।୫: ଭାରତୀୟ ସେନା ରବିବାର ଏକ ପ୍ରେସ ବ୍ରିଫିଂରେ କହିଛି ଯେ, ଅପରେସନ ସିନ୍ଦୂରରେ ସାମିଲ ହୋଇଥିବା ସମସ୍ତ ପାଇଲଟ ଘରକୁ ଫେରିଛନ୍ତି। ଏହି ଅପରେସନର ଲକ୍ଷ୍ୟ ସଫଳତାର ସହ ପୂରଣ ହୋଇଥିବା ବାୟୁସେନା ଦାବି କରିଛି। ଭାରତୀୟ ସେନାର ଡିରେକ୍ଟର ଜେନେରାଲ ଅଫ ମିଲିଟାରୀ ଅପରେସନ୍ସ (DGAO) କହିଛନ୍ତି ”ଅପରେସନ ସିନ୍ଦୂରରେ ସାମିଲ ଥିବା ସମସ୍ତ ଭାରତୀୟ ପାଇଲଟ ଏବଂ ଫାଇଟର ଜେଟ୍ ସୁରକ୍ଷିତ ଭାବେ ନିଜ ବେସକୁ ଫେରିଛନ୍ତି।

ଏପ୍ରିଲ ୨୨ରେ ଜମ୍ମୁ ଓ କାଶ୍ମୀରର ପାହାଲଗାମରେ ହୋଇଥିବା ଏକ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ଲୋକ, ମୁଖ୍ୟତଃ ପର୍ଯ୍ୟଟକ, ପ୍ରାଣ ହରାଇଥିଲେ। ଏହି ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ଥିବା ଭାରତ ଅଭିଯୋଗ କରିଥିଲା, ଯାହାକୁ ଇସଲାମାବାଦ ଅସ୍ୱୀକାର କରିଛି। ଜବାବରେ, ଭାରତୀୟ ସଶସ୍ତ୍ର ବାହିନୀ ମଇ ୭ରେ ‘ଅପରେସନ ସିନ୍ଦୂର’ ଆରମ୍ଭ କରି ପାକିସ୍ତାନ ଓ ପିଓକେରେ ୯ଟି ଆତଙ୍କବାଦୀ ଅଡ୍ଡା ଉପରେ ସଠିକ ଆକ୍ରମଣ କରିଥିଲା। ଏହି ଅଭିଯାନରେ ୧୦୦ରୁ ଅଧିକ ଆତଙ୍କବାଦୀ, ଯୁସୁଫ ଆଜହର, ଆବଦୁଲ ମଲିକ ରଉଫ ଓ ମୁଦାସିର ଅହମଦ ଭଳି ଉଚ୍ଚ ସ୍ତରୀୟ ଆତଙ୍କବାଦୀ ନିପାତ ହୋଇଥିଲେ।

ଅପରେସନ ସିନ୍ଦୂର ପରେ ପାକିସ୍ତାନ ମେ ୮-୯ ରାତିରେ ଶ୍ରୀନଗର, ଜମ୍ମୁ, ଉଧମପୁର ଓ ପଠାନକୋଟ ଭଳି ଭାରତୀୟ ସହର ଓ ସାମରିକ ସ୍ଥାନଗୁଡ଼ିକୁ ଡ୍ରୋନ ଓ ମିସାଇଲ ଜରିଆରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଭାରତୀୟ ବାୟୁସେନା ଓ ସେନା ଏହାକୁ ସଫଳତାର ସହ ପ୍ରତିହତ କରି ପାକିସ୍ତାନର ଚକଲାଲା, ରାଫିକି, ରହିମ ୟାର ଖାନ, ସରଗୋଧା, ଭୁଲାରୀ ଓ ଜାକୋବାବାଦ ଭଳି ବାୟୁସେନା ଅଡ୍ଡା ଓ ସାମରିକ ସ୍ଥାନଗୁଡ଼ିକ ଉପରେ ପ୍ରତିଆକ୍ରମଣ କରିଥିଲା। ଡିଜିଏମଓ ରାଜୀବ ଘାଇ କହିଛନ୍ତି, “ଆମେ ଆତଙ୍କବାଦୀମାନଙ୍କୁ ଟାର୍ଗେଟ କରିଥିଲୁ, କିନ୍ତୁ ପାକିସ୍ତାନ ସେନାର ଆଗ୍ରାସନର ଜବାବରେ ଆମକୁ ସେମାନଙ୍କ ସାମରିକ ସ୍ଥାନଗୁଡ଼ିକ ଉପରେ ଆକ୍ରମଣ କରିବାକୁ ପଡ଼ିଥିଲା।”

Share