ମହାରାଷ୍ଟ୍ରରୁ ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟକୁ ୨୦୨୪ରେ ଅଣାଯାଇଥିବା ମହାବଳ ବାଘୁଣୀ ଜିନତ୍ ଉପରେ ରହିଛି ସମସ୍ତଙ୍କ ନଜର। କାରଣ କିଛିଦିନ ତଳେ ପିସିସିଏଫ୍ ପ୍ରେମ କୁମାର ଝା ଦେଇଥିବା ସୂଚନା ଅନୁଯାୟୀ, ଜିନତ୍ ମା’ ହେବାକୁ ଯାଉଛି। ତା’ ଠାରୁ ଜନ୍ମ ନେବାକୁ ଥିବା ଶାବକଙ୍କ ଅପେକ୍ଷାରେ ରିହିଛି ଶିମିଳିପାଳ। ଜିନତ୍ ଛୁଆ ଜନ୍ମ ଦେଲେ ଶିମିଳିପାଳରେ ବଂଶ ବୃଦ୍ଧି ସାଙ୍ଗକୁ ମହାବଳ ବାଘର ଜେନେଟିକ୍ରେ ପରିବର୍ତ୍ତନକୁ ନେଇ ବିଭାଗ ଯେଉଁ ପ୍ରୟାସ ଚଳାଇଛି ତାହା ସଫଳ ହେବ। ଜିନତ୍ ମା‘ ହେବା ଖବର ଶୁଣି ପ୍ରାଣୀପ୍ରେମୀମାନେ ମଧ୍ୟ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି।
ଜିନତ୍କୁ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଛଡ଼ାଯିବାର ଇତିମଧ୍ୟରେ ଏକ ବର୍ଷ ପୂରିଗଲାଣି। ୨୦୨୪ ନଭେମ୍ବର ୨୪ରେ ଜିନତ୍କୁ ଏନ୍କ୍ଲୋଜରରୁ ଜଙ୍ଗଲ ମଧ୍ୟରେ ଛଡ଼ାଯାଇଥିଲା। ଏହି ସମୟ ମଧ୍ୟରେ ଜିନତ୍ ମା’ ହେବା ଖବର ପ୍ରଚାର ହେବାପରେ ସବୁଠି ଆନନ୍ଦ ପ୍ରକାଶ ପାଇଥିଲା। ତେବେ ଜିନତ୍ର ଶାବକ ଜନ୍ମ ହୋଇଛି କି ନାହିଁ ତାହା ସମସ୍ତଙ୍କୁ ସନ୍ଦେହରେ ପକାଇଛି। ଅଦ୍ୟାବଧି ପ୍ରକଳ୍ପରେ ଲାଗିଥିବା କ୍ୟାମେରା ସମ୍ମୁଖରେ ଶାବକକୁ ଧରି ବୁଲୁ ଥିବା ଫଟୋ ଭିଡିଓ ଆସି ନ ଥିବାରୁ ଅନିଶ୍ଚିତତା ଦେଖାଦେଇଛି। ତେବେ ପୂର୍ବରୁ ଆସିଥିବା ବାଘୁଣୀ ଯମୁନା ଓ ଜିନତ୍କୁ ନେଇ ବିଭାଗ ପକ୍ଷରୁ ଅନେକ ଆଶା କରାଯାଇଛି। ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ଜଙ୍ଗଲରୁ ଆଣି ଜିନତକୁ ଏନ୍କ୍ଲୋଜର ମଧ୍ୟରେ ରଖାଯିବାର ୧୦ଦିନ ପରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଛଡ଼ାଯାଇଥିଲା। ଉତ୍ତର ଡିଭିଜନରେ କିଛି ଦିନ ନିର୍ଭୟରେ ଘୂରିବୁଲିବା ପରେ ସେ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟ ଜଙ୍ଗଲକୁ ପଳାଇଥିଲା। ସେଠାରୁ ଅଣାଯାଇ ପୁନର୍ବାର ଏନ୍କ୍ଲୋଜରକୁ ବୃଦ୍ଧି କରାଯାଇ ରଖାଯିବା ପରେ ୨୦୨୫ ଜାନୁଆରୀ ୧ରେ ତାକୁ ଜଙ୍ଗଲରେ ଛଡ଼ାଯାଇଥିଲା। ନିଜର ବାସସ୍ଥାନ ପାଇଁ ଜଙ୍ଗଲରେ ଘୁରିବୁଲିବା ସମୟରେ ଜୁନ ମାସରେ ଅଣ୍ଡିରା ବାଘ ସହିତ ତା’ର ସମ୍ପର୍କ ଗଢ଼ି ଉଠିଥିବା ପିସିସିଏଫ୍ ଝା ପ୍ରକାଶ କରିଥିଲେ। ମାତ୍ର ସମୟ ଅବଧି ଶେଷ ହୋଇଥିଲେ ସୁଦ୍ଧା ଜିନତ୍ ମା’ ହେବା ଘଟଣାର ସତ୍ୟାସତ୍ୟ ବିଭାଗ ପକ୍ଷରୁ ଅବଗତ କରାଯାଇ ନାହିଁ। ତେବେ ଦୁଇ ବାଘୁଣୀ ପ୍ରତି ବିଭାଗ ସତର୍କତା ଅବଲମ୍ବନ କରିଥିବା ବେଳେ ଯମୁନା ଓ ଜିନତ୍କୁ ନେଇ କରାଯାଇଥିବା ମିଶନ ସଫଳ ହେବ ବୋଲି ପ୍ରାଣୀପ୍ରେମୀମାନେ ଆଶାବ୍ୟକ୍ତ କରିଛନ୍ତି।
ରିପୋର୍ଟ: ନୀଳାଦ୍ରି ବିହାରୀ ଦଣ୍ଡପାଟ, ବାରିପଦା