ପୋଲିସ ଭୂମିକାରେ ଅଲି ଫଜଲ୍‌

ମୁମ୍ବାଇ: କ୍ରାଇମ ଥ୍ରୀଲର ୱେବ୍‌ ସିରିଜ୍‌ ‘ମିର୍ଜାପୁର’ରେ ଗୁଡୁ ଭୈୟା ଚରିତ୍ର ନିଭାଇ ଦର୍ଶକଙ୍କର ପ୍ରଶଂସା ସାଉଣ୍ଟିଥିବା ଅଭିନେତା ଅଲି ଫଜଲ୍‌ ଖୁବ୍‌ଶୀଘ୍ର ୱେବ୍‌ ସିରିଜ ‘ରାଖ୍‌’ରେ ନଜରକୁ ଆସିବେ। ଏହା ଏକ ଇନ୍‌ଭେଷ୍ଟିଗେଟିଭ୍‌ କ୍ରାଇମ ଥ୍ରୀଲର ସିରିଜ୍‌ ହୋଇଥିବା ବେଳେ ଏଥିରେ ଅଲିଙ୍କ ସମେତ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଓ ଅଭିନେତା ଆମିର ବସିର ମଧ୍ୟ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ବିଭିନ୍ନ ଅପରାଧ ମାମଲାରେ ନ୍ୟାୟ ପାଇବା ପାଇଁ ଲୋକେ କିପରି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହାକୁ ନେଇ ଏହି ସିରିଜ୍‌ର କାହାଣୀ ପର୍ଯ୍ୟବସିତ। ବର୍ତ୍ତମାନ ସୁଦ୍ଧା ‘ରାଖ୍‌’ର ରିଲିଜ୍‌ ତାରିଖ ଉପରୁ ପରଦା ଉଠି ନ ଥିବା ବେଳେ ୨୦୨୬ରେ ଓଟିଟି ପ୍ଲାଟ୍‌ଫର୍ମ ପ୍ରାଇମ ଭିଡିଓରେ ଏହି ସିରିଜ୍‌ ରିଲିଜ୍‌ ହେବ। ସୋମବାର ପ୍ରାଇମ ଭିଡିଓ ପକ୍ଷରୁ ଏନେଇ ଘୋଷଣା କରାଯିବା ସହ ‘ରାଖ୍‌’ର ପ୍ରଥମ ପୋଷ୍ଟରକୁ ଜାରି କରାଯାଇଛି, ଯେଉଁଥିରେ ଅଲି ପୋଲିସ ଅଧିକାରୀ ଭାବେ ନଜରକୁ ଆସିଛନ୍ତି। ପ୍ରୋସିତ ରୟଙ୍କ ନିର୍ଦ୍ଦେଶନାରେ ‘ରାଖ୍‌’ ସିରିଜ୍‌ର ନିର୍ମାଣ ହେବ। ଆୟୁଷ ତ୍ରିବେଦୀ ଏହି ସିରିଜ୍‌ର ସଂଳାପ ଲେଖିଥିବା ବେଳେ ଅନୁଷା ନନ୍ଦକୁମାର ଓ ସନ୍ଦୀପ ସାକେତ ଏହାର କାହାଣୀ ଲେଖିଛନ୍ତି।