‘ହଓ୍ବୋନ୍‌’ର ଶୁଟିଂ ଆରମ୍ଭ କଲେ ଅକ୍ଷୟ

ମୁମ୍ବାଇ: ଫିଲ୍ମ ନିର୍ମାତା ପ୍ରିୟଦର୍ଶନଙ୍କ ଆଗାମୀ ଫିଲ୍ମ ‘ହଓ୍ବୋନ୍‌’ର ଶୁଟିଂ କେରଳର କୋଚିରେ ଆରମ୍ଭ ହୋଇଛି। ଏନେଇ ରବିବାର ଅଭିନେତା ଅକ୍ଷୟ କୁମାର ତାଙ୍କ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ସେ ଫିଲ୍ମ ଶୁଟିଂବେଳର ଏକ ବିହାଇଣ୍ଡ ଦି ସିନ୍‌ (ବିଟିଏସ୍‌) ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଅକ୍ଷୟଙ୍କ ସହ ଅଭିନେତା ସୈଫ୍‌ ଅଲି ଖାନ୍‌, ଫିଲ୍ମ ନିର୍ମାତା ପ୍ରିୟଦର୍ଶନ ଏବଂ ଫିଲ୍ମର ଅନ୍ୟାନ୍ୟ କ୍ରିଉ ସଦସ୍ୟ ନଜରକୁ ଆସିଛନ୍ତି। କ୍ୟାପ୍‌ଶନ୍‌ରେ ଅକ୍ଷୟ ଲେଖିଛନ୍ତି, ପ୍ରିୟଦର୍ଶନଙ୍କ ସହ ଆଉ ଏକ ଫିଲ୍ମର ଶୁଟିଂ ଆରମ୍ଭ କଲି। ପ୍ରାୟ ୧୮ ବର୍ଷ ପରେ ସୈଫ୍‌ଙ୍କ ସହ କାମ କରିବା ଆରମ୍ଭ କରିଛି, ଯାହାର ଅନୁଭୂତି ଅତ୍ୟନ୍ତ ନିଆରା। ଆସନ୍ତା ଏପ୍ରିଲ ୨ରେ ‘ହଓ୍ବୋନ୍‌’ ଫିଲ୍ମ ରିଲିଜ୍‌ ହେବ ବୋଲି ନିର୍ମାତାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରକାଶ ଯେ, ଏକଦା ବଲିଉଡ୍‌ର ସୁପରହିଟ୍‌ ଯୋଡ଼ି କୁହାଯାଉଥିବା ଅକ୍ଷୟ ଏବଂ ସୈଫ୍‌ ପ୍ରାୟ ୧୮ ବର୍ଷ ପରେ ପୁଣିଥରେ କୌଣସି ଫିଲ୍ମରେ ଏକାଠି ମିଶି କାମ କରୁଛନ୍ତି। ଶେଷଥର ପାଇଁ ୨୦୦୮ରେ ରିଲିଜ୍‌ ହୋଇଥିବା ‘ଟଶନ’ ଫିଲ୍ମରେ ଉଭୟ ତାରକା ଏକାଠି ନଜରକୁ ଆସିଥିଲେ। ମେଁ ଖିଲାଡ଼ି ତୁ ଅନାଡ଼ି (୧୯୯୪), ୟେ ଦିଲାଗି (୧୯୯୪), ତୁ ଚୋର ମେଁ ସିପାହି (୧୯୯୬), କିମତ୍‌ (୧୯୯୮) ଆଦି ଫିଲ୍ମରେ ସୈଫ୍‌ ଓ ଅକ୍ଷୟଙ୍କ ଯୋଡ଼ିକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ।