ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ଏଆଇଟିୟୁସି ଓ ଏଆଇୟୁଟିୟୁସି

ବଲାଙ୍ଗୀର,୨୦।୫(ସୁନିଲ ମହାନ୍ତି): ୧୦ଟି କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ ସ୍ବାଧୀନ ଫେଡେରେଶନ ଆହ୍ବାନରେ ଦେଶ ବ୍ୟାପି ବିକ୍ଷୋଭ କରାଯାଉଛି। ଏହି ଅବସରରେ ମଙ୍ଗଳବାର ଏଆଇଟିୟୁସି ଓ ଏଆଇୟୁଟିୟୁସି ବଲାଙ୍ଗୀର ଜିଲା ପକ୍ଷରୁ କୋଶଳ କଳା ମଣ୍ଡଳ ପଡିଆରୁ ଏକ ରାଲି ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା l ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଟ୍ରେଡ୍‌ ୟୁନିଅନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଶ୍ରମିକ ବିରୋଧୀ ୪ଟି ଶ୍ରମ କୋଡ୍‌ ପ୍ରତ୍ୟାହାର, ସ୍କିମ୍‌ ୱାର୍କର ଯଥା ଆଶା କର୍ମୀ, ଅଙ୍ଗନୱାଡି କର୍ମୀ ଓ ସହାୟିକା, ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକାଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, ମାସିକ ଭତ୍ତା ସର୍ବନିମ୍ନ ୨୬ହଜାର ଟଙ୍କା ପ୍ରଦାନ, କୃଷିଜାତ ଦ୍ରବ୍ୟର ଆଇନ ମାନ୍ୟତା ଦରବୃଦ୍ଧି ନିୟନ୍ତ୍ରଣ, ଏନ୍ପିଏସ ୟୁପିଏସ ବାତିଲ କରି ପୁରୁଣା ପେନସନ ସ୍କ୍ରିମ ପ୍ରଚଳନ, ସମାନ କାମକୁ ସମାନ ଦରମା, ୨୦୨୨ ବିଦ୍ୟୁତ ସଂଶୋଧନ ପ୍ରତ୍ୟାହାର, ପ୍ରିପେଡ ସ୍ମାର୍ଟ ମିଟର ବାତିଲ, ରାଷ୍ଟ୍ରାୟତ ଓ ସରକାରୀ ସଂସ୍ଥାର ଘରୋଇ କରଣ ବନ୍ଦ କରିବା ଓ ଜାତୀୟ ଶିକ୍ଷାନିତି ୨୦୨୦ ବାତିଲ ଆଦି ୧୭ ଦଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଏଆଇଟିୟୁସି ଜିଲା ସଭାପତି ତୀର୍ଥ ପ୍ରଧାନଙ୍କ ସଭାପତିତ୍ୱରେ ଆଜିର ବିକ୍ଷୋଭ ସଭାରେ ଏଆଇୟୁଟିୟୁସି ରାଜ୍ୟ କମିଟି ସଭ୍ୟ ଅଶୋକ ମିଶ୍ର, ଏଆଇଡିଏସ୍‌ଓ ରାଜ୍ୟ ଉପ ସଭାପତି ସୁନିଲ ଭୋଇ, ନିଖିଳ ଓଡିଶା ଆଶା କର୍ମୀ ସଂଘ ସଭାପତି ଦମୟନ୍ତି ମହାନନ୍ଦ, ସଞ୍ଜୁ ବାଗ, ପ୍ରଭାସୀନି ରାୟ, ବଲାଙ୍ଗିର ବ୍ଲକ ସଂଘ ସମ୍ପାଦିକା ବାସନ୍ତି ସେଠ, ମିନାକ୍ଷି ଜେନା, ମମତା ଜେନା, ପାଚିକା ସହାୟିକା ମାଧବୀ କଲତା, ବଲ୍ଲବି ସିଂ, ନିର୍ମାଣ ଶ୍ରମିକ ରୁ ପୁରୁଷୋତ୍ତମ କର୍ମୀ, ଜଗବନ୍ଧୁ ବେହେରା, ଗ୍ରା.ପ. ଶ୍ରମିକ ସଂଘ ବିଦୁର କୁମ୍ଭାର, ପ୍ରଫୁଲ୍ଲ କୁମ୍ଭାର, ଏଆଇଡିଏଓ ଜିଲା ସଭାପତି ମଧୁସୁଦନ ବାଗ, ସମ୍ପାଦିକା ଗୌରୀ ରାଉତ, ଏଆଇଡିୱାଇଓ ଜିଲା ସମ୍ପାଦକ ତାମସ ବେହେରା ସହ ଶତାଧୀକ କର୍ମୀ ସାମିଲ ହେବା ସହ ବକ୍ତବ୍ୟ ରଖିଥିଲେ । ଏଆଇଟିୟୁସି ଜିଲା ସହ-ସମ୍ପାଦକ ସାଏବୁ ନନ୍ଦ ଧନ୍ୟବାଦ ଦେଇଥିଲେ l

Share