ନୂଆଦିଲ୍ଲୀ,୧୫।୧୨: ଦିଲ୍ଲୀ ଏନ୍ସିଆରରେ ଘନ କୁହୁଡ଼ି ସାଙ୍ଗକୁ ଦୃଶ୍ୟମାନତା ଶୂନ୍ୟ ହ୍ରାସ ଯୋଗୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ୧୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଛି।
ସୋମବାର ସକାଳେ ଦିଲ୍ଲୀ ଏବଂ ଏହାର ସଂଲଗ୍ନ ଅଞ୍ଚଳଗୁଡ଼ିକରେ ଘନ କୁହୁଡ଼ି ଦେଖାଯାଇଥିଲା। ଯାହା ଫଳରେ ଅନେକ ଅଞ୍ଚଳରେ ଦୃଶ୍ୟମାନତା ଶୂନ୍ୟ ପାଖାପାଖି ରହିଥିଲା। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏପରିକି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୩୩ ଛୁଇଁବା ସହିତ ବାୟୁ ଗୁଣବତ୍ତା ମଧ୍ୟ ତୀବ୍ର ଭାବରେ ଖରାପ ହୋଇଛି।
ଏହାକୁ ଦୃଷ୍ଟିରେ ରଖି ଅନେକ ଏୟାରଲାଇନ୍ସ ୧୦୦ରୁ ଅଧିକ ବିମାନ ବାତିଲ କରିଛନ୍ତି। ଏପରିକି ଏୟାରଲାଇନ୍ସର ସୁରକ୍ଷା ବଜାୟ ରଖିବା ପାଇଁ ସମୟସୂଚୀରେ ପରିବର୍ତ୍ତନ ଯୋଗୁ ୩୦୦ରୁ ଊଦ୍ଧର୍ବ ବିମାନ ବିଳମ୍ୱର ସମ୍ମୁଖୀନ ହୋଇଛି। ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ମଧ୍ୟ ଯାତ୍ରୀମାନଙ୍କୁ ବିମାନ ଅପଡେଟ ଯାଞ୍ଚ କରିବାକୁ ଏବଂ ସେହି ଅନୁସାରେ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଜାରି କରିଛି।