ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ ହଜାର ବିମାନ ଉଡ଼ାଣ ବନ୍ଦ ରହିଥିଲା। ଏବେ କେତେକ ଏ-୩୨୦ ବିମାନର ମେଟାଲ ପ୍ୟାନେଲରେ ଗୁଣବତ୍ତା ସମସ୍ୟା ଦେଖାଦେଇଛି। ଫଳରେ ଏ-୩୨୦ ବର୍ଗର ଅନେକ ବିମାନର ଫ୍ୟୁଜ୍‌ଲେଗ୍‌ ପ୍ୟାନେଲ ପ୍ରଭାବିତ ହେବା ସହ ବିମାନ ଡେଲିଭରି କରିବାରେ ବିଳମ୍ବ ହେଉଛି। ଏୟାରବସ୍‌ ଏବେ କେତେକ ବିମାନର ଯାଞ୍ଚ କରୁଛି। ତେବେ ସୀମିତ ସଂଖ୍ୟକ ବିମାନରେ ଏଭଳି ସମସ୍ୟା ଦେଖାଦେଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ପ୍ରଭାବିତ ହେବା ସମ୍ଭାବନା ଥିବା ସମସ୍ତ ବିମାନକୁ ଯାଞ୍ଚ କରାଯାଉଛି। ୬୦୦ ବିମାନକୁ ଯାଞ୍ଚ କରାଯିବା ଆବଶ୍ୟକ। ତେବେ ସବୁଗୁଡ଼ିକର ପ୍ୟାନେଲରେ ତ୍ରୁଟି ଥିବ ବୋଲି ଆଶା କରାଯାଉ ନାହିଁ । ନୂଆ ତିଆରି ହୋଇଥିବା ପ୍ୟାନେଲଗୁଡ଼ିକରେ ଏଭଳି ସମସ୍ୟା ରହିଥିବା ଚିହ୍ନଟ ହୋଇଛି ବୋଲି ବୋଲି ଏୟାରବସ୍‌ ମୁଖପାତ୍ର କହିଛନ୍ତି।

Dharitri – Odisha’s No.1 Odia Daily

 

Share