ବିଷ ପାଲଟିଲାଣି ବାଂଲାଦେଶର ବାୟୁ, ହଜାରେ କୋଟିରୁ ଅଧିକ କ୍ଷତି

ଢାକା,୧୯।୧: ବାଂଲାଦେଶରେ ବର୍ଷକୁ ବର୍ଷ ଖରାପ ହେଉଥିବା ବାୟୁ ଗୁଣବତ୍ତା ଏବେ ବିନାଶକାରୀ ହେବାରେ ଲାଗିଛି। ଏଠାରେ, ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ଏକ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ଏବଂ ୧୦୦୦କୋଟି ଟଙ୍କାରୁ ଅଧିକ ମୂଲ୍ୟର କ୍ଷତି ହେଉଥିବା ଆକଳନ କରାଯାଇଛି। ଏକ ଗବେଷଣା ରିପୋର୍ଟରେ ଏହି ସଂଖ୍ୟାଗୁଡ଼ିକ ସାମ୍ନାକୁ ଆସିଛି।
ବାଂଲାଦେଶରେ ବାୟୁ ପ୍ରଦୂଷଣର ପ୍ରଭାବ ଉପରେ ସେଣ୍ଟର ଫର୍‌ ରିସର୍ଚ୍ଚ ଅନ ଏନର୍ଜି ଆଣ୍ଡ କ୍ଲିନ ଏୟାର (ସିଆରଇଏ) ଏକ ବିସ୍ତୃତ ଅଧ୍ୟୟନ କରିଛି। ଶନିବାର (ଜାନୁଆରୀ ୧୮)ରେ ସିଆରଇଏ ସେଣ୍ଟର ଫର୍‌ ଆଟମୋସ୍ଫୋରିକ ପଲ୍ୟୁସନ ଷ୍ଟଡିଜ (Caps) ସହିତ ମିଳିତ ଭାବରେ, ଜାତୀୟ ପ୍ରେସ କ୍ଲବରେ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କ ଗବେଷଣାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଚିନ୍ତାଜନକ ତଥ୍ୟ ଉପସ୍ଥାପନ କରିଥିଲା।
ଏହି ଅଧ୍ୟୟନ ଅନୁଯାୟୀ, ବାଂଲାଦେଶରେ ପ୍ରତିବର୍ଷ ବାୟୁ ପ୍ରଦୂଷଣ ଯୋଗୁଁ ୧,୦୨,୪୫୬ ଜଣଙ୍କର ମୃତ୍ୟୁ ହୁଏ। ଏହି ସଂଖ୍ୟାରେ ୫,୨୫୮ ଜଣ ପିଲା ଅଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ପ୍ରତିବର୍ଷ ବାୟୁ ପ୍ରଦୂଷଣ ସମ୍ବନ୍ଧୀୟ ରୋଗ ଯୋଗୁଁ ୬,୭୦,୦୦୦ ରୋଗୀ ଜରୁରୀକାଳୀନ ବିଭାଗରେ ଭର୍ତ୍ତି ହୁଅନ୍ତି। ଏହା ବ୍ୟତୀତ, ୬ ଲକ୍ଷ ନବଜାତ ଶିଶୁ ସମୟ ପୂର୍ବରୁ ଜନ୍ମ ହୁଅନ୍ତି ଏବଂ ପ୍ରାୟ ୭ ଲକ୍ଷ ନବଜାତ ଶିଶୁ କମ ଓଜନର। ରିପୋର୍ଟରେ କୁହାଯାଇଛି ଯେ, ବାଂଲାଦେଶର ଜନସଂଖ୍ୟାକୁ ଆଧାର କରି, ବାୟୁ ପ୍ରଦୂଷଣର ବର୍ତ୍ତମାନର ସ୍ଥିତି ଯୋଗୁଁ ମୋଟ ୨୬୩ ନିୟୁତ କାର୍ଯ୍ୟ ଦିବସ ନଷ୍ଟ ହେଉଛି।