ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ ପ୍ରଦୂଷଣ ୨.୬୭ ଡଷ୍ଟ ପାର୍ଟିକିଲ ଧୂଳି କଣା ରହିଛି। ଏକ ଘରୋଇ କମ୍ପାନୀର ଡିସପ୍ଲେ ବୋର୍ଡରୁ ଏହା ଜଣାପଡ଼ିଛି।
ଏକଦା ଘଞ୍ଚ ଜଙ୍ଗଲ, ସବୁଜିମା ପ୍ରାକୃତିକ ଝରଣା ଥିବା ଏହି ଅଞ୍ଚଳ ଏବେ ପ୍ରଦୂଷଣ ବଳୟକୁ ପ୍ରବେଶ କରୁଛି ବୋଲି ଯୋଡା ବିକାଶ ପରିଷଦର ସଭାପତି ନିରଞ୍ଜନ ବହିଦାର ମତ ଦେଇଛନ୍ତି। ସେହିପରି ବରିଷ୍ଠ ନାଗରିକ ତଥା ଯୋଡ଼ା ସହରର ପୂର୍ବତନ ଉପ ନଗରପାଳ ପୁରୁଷୋତ୍ତମ ଦାସ କହିଛନ୍ତି, ଡିସେମ୍ବର ମଧ୍ୟରେ ଯୋଡ଼ା ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଗତ ୫ବର୍ଷ ତଳେ ୬ଡିଗ୍ରୀରୁ ୮ଡିଗ୍ରୀ ମଧ୍ୟରେ ରହୁଥିଲା। ଶୀତର ପ୍ରକୋପ ଅଧିକ ଥିଲା। ଏବେ ଏଥିରେ ସମ୍ପୂର୍ଣ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯଦିଓ ଶୀତ ଅନୁଭୂତ ହେଉଛି, ରାତ୍ରି ବେଳେ ସର୍ବନିମ୍ନ ତାପମାତ୍ରା ୧୧ରୁ ୧୨ ଡିଗ୍ରୀ ମଧ୍ୟରେ ରହିଛି।
ଯାହାକି ପରିବେଶର ବ୍ୟତିକ୍ରମ ବୋଲି ସ୍ପଷ୍ଟ ଜଣାପଡ଼ୁଛି। ସେହିପରି ଦିନରେ ସର୍ବାଧିକ ୨୫ରୁ ୨୭ ଡିଗ୍ରୀ ମଧ୍ୟରେ ରହୁଛି। ଯାହାକି ଅତୀତରେ ୧୮ ରୁ ୨୨ ଡିଗ୍ରୀ ମଧ୍ୟରେ ରହୁଥିଲା। ଋତୁ ଚକ୍ରରେ ଏହିପରି ପରିବର୍ତ୍ତନ ବ୍ୟାପକ ଜଙ୍ଗଲ କାଟ, ଅସନ୍ତୁଳିତ ପରିବେଶ, ଅନିୟନ୍ତ୍ରିତ ଭାରିଯାନ ଚଳାଚଳ, କାରଖାନାରୁ ନିର୍ଗତ ଧୂଆଁରେ ର୍ନିଦ୍ଧାରିତ କାର୍ବନର ମାତ୍ରାକୁ ନିୟନ୍ତ୍ରିତ ନ କରି ନିର୍ଗତ ଧୂଆଁକୁ ସିଧା ସଳଖ ବାୟୁ ମଣ୍ଡଳକୁ ଛାଡି ଦେବା ଯୋଗୁ ସ୍ଥିତି ଅନାୟତ ଆଡ଼କୁ ଯାଉଛି ବୋଲି ପରିବେଶବିତ୍ ଉଦୟ ଶଙ୍କର ଆଚାର୍ଯ୍ୟ କହିଛନ୍ତି।
ବ୍ୟାପକ ଖଣି ଖନନ ହେତୁ ଅନେକ ଶହ ହେକ୍ଟର ଜଙ୍ଗଲ ପଦା ହେଉଛି। ସେହି ଅନୁପାତରେ ଚାରାରୋପଣ ହେଉନାହିଁ। ଫଳରେ ବୃଷ୍ଟିପାତ ହ୍ରାସ ପାଉଛି, ଉତ୍ତାପ ବୃଦ୍ଧି ହେଉଛି। ଏହାକୁ ନିୟନ୍ତ୍ରଣ ନ କଲେ ଆଗାମୀ ଦିନରେ ସ୍ଥିତି ଗମ୍ଭୀର ହେବ ବୋଲି ସେ କହିଥିଲେ।