ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ୭ ମୃତ

ରାଞ୍ଚି,୨୪।୨: ସୋମବାର ସନ୍ଧ୍ୟାରେ ରାଞ୍ଚିରୁ ଦିଲ୍ଲୀ ଯାଉଥିବା ଏକ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡ଼ିବାରୁ ସମସ୍ତ ୭ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏହି ବିମାନରେ ୪୧ ବର୍ଷୀୟ ରୋଗୀ ସଞ୍ଜୟ କୁମାରଙ୍କ ସମେତ ତାଙ୍କର ୨ ଆଟେଣ୍ଡାଣ୍ଟ, ଜଣେ ଡାକ୍ତର, ଜଣେ ଫାର୍ମାଶିଷ୍ଟ ଏବଂ ଦୁଇ ପାଇଲଟ୍‌ ଥିଲେ। ବିମାନଟି ରାଞ୍ଚି ବିମାନ ବନ୍ଦରରୁ ଉଡ଼ାଣ ଭରିବାର ମାତ୍ର ୨୩ ମିନିଟ୍‌ ପରେ ରାଡାର୍‌ରୁ ଉଭାନ ହୋଇଯାଇଥିଲା।

କୌଣସି କାରଣରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ଚତରା ଜିଲାରେ ଖସିପଡ଼ିଥିଲା। ରାଜ୍ୟ ପ୍ରଶାସନର କେତେଜଣ ଅଧିକାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ବିମାନଟିକୁ ଠାବ କରିଥିଲେ। ଦୁର୍ଘଟଣାସ୍ଥଳରୁ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ମଧ୍ୟରେ ସଞ୍ଜୟ କୁମାର, ତାଙ୍କର ୨ ଆଟେଣ୍ଡାଣ୍ଟ ଅର୍ଚ୍ଚନା ଦେବୀ ଓ ଧୁରୁ କୁମାର, ଡାକ୍ତର ବିକାଶ କୁମାର ଗୁପ୍ତା, ଫାର୍ମାଶିଷ୍ଟ ସଚିନ୍‌ କୁମାର ମିଶ୍ର ଏବଂ ୨ ପାଇଲଟ୍‌ ବିବେକ ବିକାଶ ଭଗତ୍‌ ଓ ସଭରାଜଦୀପ୍‌ ସିଂ ରହିଛନ୍ତି।

ଏହି ବିମାନଟି ଦିଲ୍ଲୀସ୍ଥିତ ରେଡ୍‌ବାର୍ଡ ଏୟାରଓ୍ବେଜ୍‌ ନାମକ ଘରୋଇ କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିଲା। ଦୁର୍ଘଟଣା ସମ୍ପର୍କରେ ଯାଞ୍ଚ ପାଇଁ ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନ୍‌ଭେଷ୍ଟିଗେଶନ ବ୍ୟୁରୋର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି ।

 

Dharitri – Odisha’s No.1 Odia Daily