Categories: Home Leftଖେଳ

ଆରମ୍ଭରୁ ବିଜୟ ଲକ୍ଷ୍ୟ

ମୁମ୍ବାଇ,୧୬ା୩: ଭାରତ-ଅଷ୍ଟ୍ରେଲିଆ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଶୁକ୍ରବାର ଆରମ୍ଭ ହେବ। ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତ ପ୍ରଥମ ଦିନିକିଆ ଖେଳିବ। ନିୟମିତ ଅଧିନାୟକ ରୋହିତ ଶର୍ମା ପ୍ରଥମ ଦିନିକିଆ ଖେଳୁ ନ ଥିବା ବେଳେ ଷ୍ଟାଣ୍ଡଇନ୍‌ କ୍ୟାପଟେନ୍‌ ହାର୍ଦ୍ଦିକ ପାଣ୍ଡ୍ୟା ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ଦିନିକିଆରେ ପାଣ୍ଡ୍ୟା ପ୍ରଥମ ଥର ପାଇଁ ଅଧିନାୟକ ଦାୟିତ୍ୱ ନେଉଥିବାରୁ ବିଜୟରୁ ଆରମ୍ଭ କରିବାକୁ ଚାହିଁବେ। ପାଣ୍ଡ୍ୟା ଟି୨୦ ଦଳର ନିୟମିତ ଅଧିନାୟକ ରହିଥିବା ବେଳେ ଦିନିକିଆ ଦଳର ଉପ ଅଧିନାୟକ ଅଛନ୍ତି।

ଭାରତରେ ଦିନିକିଆ ବିଶ୍ୱକପ ଆୟୋଜିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଏହି ସିରିଜରେ ଭାରତୀୟ ଦଳକୁ ପ୍ରସ୍ତୁତିର ସୁଯୋଗ ମିଳିବ। ୨୦୧୧ରେ ଶେଷ ଥର ପାଇଁ ଭାରତରେ ଦିନିକିଆ ବିଶ୍ୱକପ ହୋଇଥିବା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ୨-୧ରେ ଭାରତ ବିଜୟୀ ହୋଇଥିବା ବେଳେ ଦିନିକିଆ ବିଜୟରୁ ଆରମ୍ଭ କରିବାକୁ ଚାହିଁବ। ମ୍ୟାଚ୍‌ ଅପରାହ୍ନ ସାଢେ ୧ଟାରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମ ଖେଳାଯିବ। ପ୍ରସାରଣ ଷ୍ଟାର ସ୍ପୋଟର୍‌ସରେ ହେବ।