ଲଣ୍ଡନ: ବ୍ରିଟେନ୍ର ଉତ୍ତର ଲଣ୍ଡନରେ ରହୁଥିବା ସାରାହ ଏଜେକିଲ (୫୫) ୨୫ ବର୍ଷ ତଳେ ମୋଟର ନ୍ୟୁରନ୍ ରୋଗରେ ପୀଡିତ ହୋଇ କଥା କହିବା ଶକ୍ତି ହରାଇଥିଲେ। ନିକଟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ସେ ନିଜ ସ୍ବରକୁ ଫେରିପାଇଛନ୍ତି।
୨୦୦୦ରେ ସାରାହ ମୋଟର ନ୍ୟୁରନ୍ ରୋଗରେ ପୀଡିତ ହେବା ପରେ ତାଙ୍କ ସ୍ନାୟୁଗୁଡ଼ିକ କାମ କରିବା ବନ୍ଦ କରିଦେଇଥିଲା। ସାରାହଙ୍କ ସହ ଠିକ୍ ଏହିପରି ହୋଇଥିଲା ଏବଂ ସେ କଥା କହିବା ଶକ୍ତି ହରାଇବା ସହ ଚଲାବୁଲା କରିବାକୁ ଅକ୍ଷମ ହୋଇଥିଲେ।
ସ୍ବର ଫେରାଇ ଆଣିବା ପାଇଁ ବୈଜ୍ଞାନିକମାନେ ଏଆଇର ସାହାଯ୍ୟ ନେଇଥିଲେ। ପ୍ରଥମେ ବୈଜ୍ଞାନିକମାନେ ସାରାହଙ୍କ ପରିବାରଠାରୁ ତାଙ୍କର ଏକ ୩ ଦଶନ୍ଧୀ ପୁରୁଣା ୮ ସେକେଣ୍ଡର କ୍ଲିପ୍ ନେଇଥିଲେ। ଉକ୍ତ କ୍ଲିପ୍ରୁ ସାରାହଙ୍କ ସ୍ବର ନମୁନାକୁ ପୃଥକ୍ କରିବା ପାଇଁ ବୈଜ୍ଞାନିକମାନେ ଏକ ଏଆଇ ଟୁଲ୍ସର ବ୍ୟବହାର କରିଥିଲେ। ଏଆଇ ସାରାହଙ୍କ ସ୍ବରକୁ ଅନୁଧ୍ୟାନ କରି ଏକ ସଫ୍ଟୱେର୍ ସାହାଯ୍ୟରେ ତାଙ୍କ ସ୍ବରକୁ ଠିକ୍ ଭାବରେ ନକଲ କରିଥିଲା। ସମ୍ପ୍ରତି ସାରାହ ଏକ ବିଶେଷ ପ୍ରକାରର କମ୍ପ୍ୟୁଟରର ସାହାଯ୍ୟ ନେଉଛନ୍ତି, ଯେଉଁଥିରେ ସେ ତାଙ୍କ ଆଖିର ଇଙ୍ଗିତରେ ଟାଇପ୍ କରିପାରୁଛନ୍ତି ଏବଂ ଏଆଇ ସାରାହଙ୍କ ଦ୍ୱାରା ଲିଖିତ ଶବ୍ଦଗୁଡ଼ିକୁ ତାଙ୍କ ସ୍ବରରେ ଠିକ୍ ଭାବେ ପଢ଼ି ଅନ୍ୟମାନଙ୍କ ସହ କଥା ହୋଇପାରୁଛି। ଏହି କୌଶଳ ସାହାଯ୍ୟରେ ସମ୍ପ୍ରତି ସାରାହ ଯେକୌଣସି ବ୍ୟକ୍ତିଙ୍କ ସହ ନିଜ ସ୍ବରରେ କଥା ହୋଇପାରୁଛନ୍ତି।