ଟଳିଗଲା ବଡ଼ ବିପଦ! ଉଡ଼ାଣ ଭରିବା ସମୟରେ ଇଣ୍ଡିଗୋ ବିମାନ ଇଞ୍ଜିନରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୨୩।୭: ଅହମଦାବାଦରୁ ଡିଉ ଅଭିମୁଖେ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନ ଟେକଅଫ ସମୟରେ ଗୁରୁତର ବିପତ୍ତିରୁ ଅଳ୍ପକେ ବର୍ତ୍ତିଯାଇଛି। ୬୦ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରିବାକୁ ପ୍ରସ୍ତୁତ ଏହି ବିମାନର ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯିବା ଯୋଗୁଁ ଟେକଅଫ ତୁରନ୍ତ ବାତିଲ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, ଏହି ଘଟଣା ଟେକଅଫ ରୋଲ ସମୟରେ ଘଟିଥିଲା। ବିମାନର ପାଇଲଟ ତୁରନ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ‘ମେଡେ’ (ଜରୁରୀ ସଂକେତ) ପଠାଇଥିଲେ। ଇଣ୍ଡିଗୋର ଜଣେ ମୁଖପାତ୍ର କହିଛନ୍ତି, “ଅହମଦାବାଦରୁ ଡିଉ ଅଭିମୁଖେ ଉଡ଼ାଣ ଭରୁଥିବା ଫ୍ଲାଇଟ 6E 7966ରେ ଟେକଅଫ ପୂର୍ବରୁ ଏକ ଟେକ୍ନିକାଲ ତ୍ରୁଟି ଦେଖିବାକୁ ମିଳିଥିଲା। ନିୟମ ଅନୁସାରେ, ପାଇଲଟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇ ବିମାନକୁ ବେ ପାଖକୁ ଫେରାଇ ଆଣିଥିଲେ। ବିମାନଟି ଏବେ ଆବଶ୍ୟକୀୟ ଯାଞ୍ଚ ଓ ରକ୍ଷଣାବେକ୍ଷଣ ପରେ ପୁନର୍ବାର ଉଡ଼ାଣ ପାଇଁ ପ୍ରସ୍ତୁତ ହେବ।”

ଏହି ଘଟଣା ଏଟିଆର-୭୬ ବିମାନରେ ଘଟିଥିଲା, ଯାହା ଅହମଦାବାଦ ବିମାନବନ୍ଦରରୁ ସକାଳ ୧୧ଟାରେ ଡିଉ ଅଭିମୁଖେ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ଥିଲା। ଇଣ୍ଡିଗୋ ମୁଖପାତ୍ର ଆହୁରି କହିଛନ୍ତି, “ଆମେ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଦୁଃଖିତ। ସେମାନଙ୍କୁ ରିଫ୍ରେସମେଣ୍ଟ, ପରବର୍ତୀ ଉପଲବ୍ଧ ଉଡ଼ାଣରେ ଯାତ୍ରା କିମ୍ବା ବାତିଲ କରିବା ପାଇଁ ପୂର୍ଣ୍ଣ ରିଫଣ୍ଡ ପ୍ରଦାନ କରାଯାଉଛି।”

ଏହା ପୂର୍ବରୁ, ଗତ ସୋମବାର ଗୋଆରୁ ଇନ୍ଦୋର ଅଭିମୁଖେ ଯାଉଥିବା ଇଣ୍ଡିଗୋର ଏକ ବିମାନ ଅବତରଣ ପୂର୍ବରୁ ଟେକ୍ନିକାଲ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ତେବେ, ସେହି ବିମାନ ନିରାପଦରେ ଅବତରଣ କରିଥିଲା ଏବଂ ଏହାକୁ ମଧ୍ୟ ସମ୍ପୂର୍ଣ୍ଣ ଟେକ୍ନିକାଲ ଯାଞ୍ଚ ପାଇଁ ପଠାଯାଇଥିଲା। ଏକ ଏକ୍ସ ପୋଷ୍ଟରେ ଜଣେ ଯାତ୍ରୀ ଦାବି କରିଛନ୍ତି ଯେ ଅହମଦାବାଦ-ଡିଉ ଉଡ଼ାଣରେ ନିଆଁ ଲାଗିବା ଘଟଣା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା, କିନ୍ତୁ ପାଇଲଟଙ୍କ ତୁରନ୍ତ ପଦକ୍ଷେପ ଯୋଗୁଁ ବଡ଼ ଦୁର୍ଘଟଣା ଟଳିଯାଇଛି।