Categories: Home Middleଖେଳ

ଅହମ୍ମଦାବାଦରେ ହେବ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା; ଶତକୀୟ ସଂସ୍କରଣର ଆୟୋଜକ ହେଲା ଭାରତ

ଗ୍ଲାସ୍‌ଗୋ,୨୬।୧୧: ୨୦୩୦ ଶତକୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଅହମ୍ମଦାବାଦକୁ ଆନୁଷ୍ଠାନିକ ଭାବରେ ଆୟୋଜକ ସହର ଭାବରେ ଘୋଷଣା କରାଯାଇଛି। ୨୦୧୦ରେ ଦିଲ୍ଲୀରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପରେ ଭାରତରେ ଏହା ହେଉଛି ପ୍ରଥମ ପ୍ରମୁଖ ବିଶ୍ୱସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା। ଗ୍ଲାସ୍‌ଗୋରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଭାରେ ୭୪ଟି ସଦସ୍ୟ ରାଷ୍ଟ୍ର ଓ ଅଞ୍ଚଳର ପ୍ରତିନିଧିମାନେ ଭାରତର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

୨୦୩୦ ଗେମ୍ସ ପାଇଁ ଭାରତର ଯୋଜନା ଅହମ୍ମଦାବାଦକୁ ଏକ ଆଧୁନିକ ଓ ସାଂସ୍କୃତିକ ସହର ଭାବରେ ପ୍ରତିପାଦିତ କରିଛି, ଯାହା ଶତକୀୟ ସଂସ୍କରଣକୁ ସ୍ମରଣୀୟ କରିପାରିବ।ଏହି ଘୋଷଣା ପରେ ସାଧାରଣ ସଭା ଗୃହରେ କୋଡ଼ିଏ ଜଣ ଗରବା ନୃତ୍ୟଶିଳ୍ପୀ ଓ ତିରିଶ ଜଣ ଢୋଲ ବାଦକଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ପ୍ରଦର୍ଶନ ଗୁଜରାଟର ଐତିହ୍ୟକୁ ଉତ୍ସବ ପାଳନ କରିବା ସହ ୨୦୩୦ରେ ଆଥଲେଟ୍ ଓ ପ୍ରଶଂସକଙ୍କ ପାଇଁ ଏକ ଝଲକ ପ୍ରଦାନ କରିଥିଲା।

ଶତକୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୧୫ ରୁ ୧୭ଟି ଇଭେଣ୍ଟ ରହିବ। ଅହମ୍ମଦାବାଦ ୨୦୩୦ ଦଳ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଆନ୍ତର୍ଜାତୀୟ ଫେଡେରେସନ ସହ ମିଶି ଏକ ଗତିଶୀଳ ଓ ଆକର୍ଷଣୀୟ କ୍ରୀଡ଼ା କାର୍ଯ୍ୟକ୍ରମ ପ୍ରସ୍ତୁତ କରିବ।

ବିଚାରାଧୀନ କ୍ରୀଡ଼ା ମଧ୍ୟରେ ତୀରନ୍ଦାଜୀ, ବ୍ୟାଡମିଣ୍ଟନ, ଟି-୨୦ କ୍ରିକେଟ, ହକି, ଜୁଡୋ, ଶୁଟିଂ ଏବଂ କୁସ୍ତି ଭଳି ଇଭେଣ୍ଟ ରହିଛି। ଆୟୋଜକ ମଧ୍ୟ ଦୁଇଟି ନୂତନ କିମ୍ବା ପାରମ୍ପରିକ କ୍ରୀଡ଼ା ଅନ୍ତର୍ଭୁକ୍ତ କରିପାରିବେ। ସମସ୍ତ କ୍ରୀଡ଼ା ତାଲିକା ଆସନ୍ତା ବର୍ଷ ଘୋଷଣା କରାଯିବ।

କମନୱେଲଥ୍ ଗେମ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି ଡକ୍ଟର ପି.ଟି. ଉଷା କହିଛନ୍ତି, “୨୦୩୦ ଗେମ୍ସ କେବଳ ରାଜ୍ୟଗୋଷ୍ଠୀ ଆନ୍ଦୋଳନର ଶହେ ବର୍ଷ ପାଳନ କରିବ ନାହିଁ, ବରଂ ପରବର୍ତ୍ତୀ ଶତାବ୍ଦୀ ପାଇଁ ମୂଳଦୁଆ ପକାଇବ।” ପ୍ରଥମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୧୯୩୦ରେ କାନାଡାର ହାମିଲଟନରେ ଅନୁଷ୍ଠିତ ହୋଇଥିଲା।

Share