ଏକଦା ବିରାଟଙ୍କ ସହ କରାଯାଉଥିଲା ତୁଳନା: ସୁଯୋଗ ନ ମିଳିବାରୁ ରାଗରେ ସନ୍ନ୍ୟାସ ଘୋଷଣା କଲେ ଏହି କ୍ରିକେଟର, ଦେଲେ ଧମକ

ଇସଲାମାବାଦ,୧୫।୧୨: ପାକିସ୍ତାନ କ୍ରିକେଟ ଟିମ୍‌ରେ ନୂଆ ବିବାଦ ଦେଖାଦେଇଛି। ଏକ ସମୟରେ ଭାରତର ବିରାଟ କୋହଲିଙ୍କ ସହ ତୁଳନା କରାଯାଉଥିବା ଅହମ୍ମଦ ଶେହଜାଦଙ୍କୁ କୌଣସି କ୍ରେତା ନ ମିଳିବାରୁ ସେ ପାକିସ୍ତାନର ଟି-୨୦ ସୁପର ଲିଗ୍‌ରୁ ସନ୍ନ୍ୟାସ ନେଇଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ଭାବୁକ ପୋଷ୍ଟ ଲେଖି ପ୍ରଶଂସକଙ୍କୁ ଜଣାଇଛନ୍ତି।

ଅହମ୍ମଦଙ୍କ ମୁହଁ ବିରାଟ କୋହଲିଙ୍କ ସହ ମିଶୁଥିବାରୁ ଉଭୟଙ୍କ ତୁଳନା କରାଯାଇଥାଏ। ସେ ୨୦୧୯ରେ ପାକିସ୍ତାନ ପକ୍ଷରୁ ଅନ୍ତିମ ଟି୨୦ ଖେଳିଥିଲେ। ନିକଟରେ ଶେଷହୋଇଥିବା ନ୍ୟାଶନାଲ ଟି୨୦ କପ୍‌ରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏସବୁ ସତ୍ତ୍ୱେ ତାଙ୍କୁ ପିଏସ୍‌ଏଲ୍‌ ଡ୍ରାଫ୍ଟରେ କେହି ବି କ୍ରେତା ମିଳି ନ ଥିଲେ।

ଶେଷରେ ନିରାଶ ହୋଇ ଅହମ୍ମଦ ପିଏସ୍‌ଏଲ୍‌ରୁ ସନ୍ନ୍ୟାସ ନେବା ନିଷ୍ପତ୍ତି ନେଇଛନ୍ତି। ଗତ କିଛି ବର୍ଷ ଧରି ଘରୋଇ କ୍ରିକେଟରେ ସେ ଲଗାତର ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ହେଲେ ଜାଣିଶୁଣି ତାଙ୍କୁ ସୁଯୋଗ ଦିଆଯାଉନାହିଁ। ତାଙ୍କଠାରୁ କମ୍‌ ପ୍ରଦର୍ଶନ କରୁଥିବା ଖେଳାଳି ସୁଯୋଗ ପାଉଛନ୍ତି। ଏଣୁ ତାଙ୍କର ଆଶା ରଖିବାର କୌଣସି ଅର୍ଥ ନାହିଁ ବୋଲି ସେ କହିଛନ୍ତି।

ଏହାଛଡ଼ା ସେ ଘରୋଇ କ୍ରିକେଟରୁ ଖେଳାଳିଙ୍କୁ କିଭଳି ପିଏସ୍‌ଏଲ୍‌ ଅଣାଯାଉଛି ସେନେଇ ଖୁଲାସା କରିବେ ବୋଲି ଧମକ ଦେଇଛନ୍ତି। ଏପରିକି ତାଙ୍କୁ କାହିଁକି ସୁଯୋଗ ମିଳୁନାହିଁ ସେ ତାହା କହିବେ ବୋଲି କହିଛନ୍ତି।

Share
Tags: cricket