କେରଳ,୮।୮: କେରଳରେ ଓନାମ ପର୍ବ ପୂର୍ବରୁ ନଡ଼ିଆ ଏବଂ ନଡ଼ିଆ ତେଲର ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ, କୋଚି ନିକଟସ୍ଥ ଏକ ଦୋକାନରୁ ନଡ଼ିଆ ତେଲ ଚୋରି ହେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।
କୋଚିଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଆଲୁଭାର ଥୋଟ୍ଟୁମୁଘମ ବ୍ରିଜ ନିକଟସ୍ଥ ଏକ ଫଳ ଓ ପରିବା ଦୋକାନରୁ ଜଣେ ଚୋର ୩୦ ବୋତଲ ନଡ଼ିଆ ତେଲ ଏବଂ ଅନ୍ୟାନ୍ୟ ଜିନିଷ ଚୋରି କରି ଫେରାର ହୋଇଯାଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ଚୋର ପ୍ରଥମେ ଦୋକାନର କଂକ୍ରିଟ ଚଟାଣରେ ଛିଦ୍ର କରି ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଏହା ବିଫଳ ହେବା ପରେ ସେ ମୁଖ୍ୟ ତାଲା ଭାଙ୍ଗି ଦୋକାନ ଭିତରକୁ ପଶିଥିଲା।
କେରଳରେ ବର୍ତ୍ତମାନ ଗୋଟିଏ କିଲୋଗ୍ରାମ ନଡ଼ିଆ ମୂଲ୍ୟ ୮୦ରୁ ୧୦୦ ଟଙ୍କା ଏବଂ ନଡ଼ିଆ ତେଲର ମୂଲ୍ୟ ୫୦୦ରୁ ୬୦୦ ଟଙ୍କା ପ୍ରତି କିଲୋଗ୍ରାମ ରହିଛି। ନଡ଼ିଆ ଏବଂ ନଡ଼ିଆ ତେଲ କେରଳର ଦୈନନ୍ଦିନ ଜୀବନରେ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ହୋଇଥିବାରୁ, ଏହାର ମୂଲ୍ୟ ବୃଦ୍ଧି ଅନାମ ପର୍ବ ପୂର୍ବରୁ ଘରୋଇ ବଜେଟକୁ ବେଶ ପ୍ରଭାବିତ କରୁଛି।
ଏହି ଘଟଣା ବୁଧବାର ସକାଳେ ଦୋକାନ ମାଲିକ ଆୟୁବ ପୁଥନପୁରାୟିଲଙ୍କ ଦ୍ୱାରା ପ୍ରକାଶ ପାଇଥିଲା। ଚୋର ପ୍ରାୟ ୬୦୦ ଟଙ୍କା ମୂଲ୍ୟର ୩୦ ବୋତଲ ପ୍ରିମିୟମ ନଡ଼ିଆ ତେଲକୁ ଏକ ବସ୍ତାରେ ପ୍ୟାକ କରି ନେଇଥିଲା। ଏହା ସହିତ ଏକ ବାକ୍ସ ଆପଲ ଏବଂ ଦଶ ପ୍ୟାକେଟ ଦୁଧ ମଧ୍ୟ ଚୋରି ହୋଇଥିଲା। ଚୋରି ପୂର୍ବରୁ ଅପରାଧୀ ଦୋକାନ ଭିତରେ ଥିବା ସିସିଟିଭି କ୍ୟାମେରାର ତାର କାଟି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲା।
ଆଲୁଭା ଇଷ୍ଟ ପୋଲିସ, ଯାହାଙ୍କ ଅଧୀନରେ ଏହି ଅଞ୍ଚଳ ରହିଛି, ଘଟଣା ବିଷୟରେ ଅବଗତ ଥିବା କହିଛି, କିନ୍ତୁ ତଦନ୍ତ ଆରମ୍ଭ କରିବା ପାଇଁ ସେମାନେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଅଭିଯୋଗ ପାଇନାହାଁନ୍ତି।
ନଡ଼ିଆ ଏବଂ ନଡ଼ିଆ ତେଲର ମୂଲ୍ୟ ବୃଦ୍ଧି ରାଜ୍ୟରେ ଏକ ପ୍ରମୁଖ ରାଜନୈତିକ ବିଷୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି କେରଳ ସରକାର ଅନାମ ପାଇଁ ରାସନ ଦୋକାନ ମାଧ୍ୟମରେ ସବସିଡି ହାରରେ ନଡ଼ିଆ ତେଲ ବିତରଣ କରିବାକୁ ଘୋଷଣା କରିଛନ୍ତି।