ଥୁଆମୂଳ ରାମପୁର,୩।୧୧(ଦୁର୍ଗା କୀର୍ତ୍ତି): ରାଜ୍ୟ ତଥା କଳାହାଣ୍ଡି ଜିଲାରେ ଦାଦନ ଶ୍ରମିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସେଠାରେ ମୃତ୍ୟୁ ନଚେତ୍ ନିଖୋଜ ଘଟଣା ମଧ୍ୟ ଥମିବାର ନାଁ ନେଉନାହିଁ। ଗାଁରେ କାମଧନ୍ଦା ଅଭାବ ଯୋଗୁ ପରିବାର ପ୍ରତିପୋଷଣ ଉପାୟ ନପାଇ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଗତ କିଛି ଦିନ ତଳେ ପୋଡ଼ାପଦର ଗ୍ରାମ ପଞ୍ଚାୟତ ଅଧିନରେ ଥିବା କାରବାଡ଼ି ଗ୍ରାମର ଜନୈକଙ୍କ ପୁଅ ଆନ୍ଦାର ମାଝୀ (୨୫) ଦାଦନ ଖଟିବା ପାଇଁ ଘରୁ ବାହାରି ଆନ୍ଧ୍ରପ୍ରଦେଶ ଯାଇଥିଲେ । କିଛି ଦିନ କାମ କରିବା ପରେ ଟ୍ରେନ ଲାଇନ୍ରେ କଟି ମତ୍ୟୁ ବରଣ କରିଥିଲୋ। ତେବେ ଆଉ ଏକ ଦାଦନ ଶ୍ରମିକ ମୃତ୍ୟୁବରଣ କରିଥିବା ଘଟଣା ଏବେ ସମ୍ମାନକୁ ଆସିଛି। ବ୍ଲକର କାଣିଗୁମା ଗ୍ରାମପଞ୍ଚାୟତରୁ।
ସୂଚନାଯୋଗ୍ୟ, ଗତ ୧୫ ଦିନ ତଳେ କାଣିଗୁମା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଜବାଙ୍ଗ ଗ୍ରାମର ଜନୈକ ବ୍ୟକ୍ତି ଶୁକୃ ମାଝୀଙ୍କ ପୁଅ ଉଦୟ ମାଝୀ (୩୬) ଗାଁରେ କାମଧନ୍ଧା ଅଭାବରୁ ଝିଅର ଉଚ୍ଛ ଶିକ୍ଷା ପାଇଁ କେରଳ ରାଜ୍ୟର କୋଝିକୋଡେ ଜିଲା ଏଲାଥୁର ଥାନା ଅନ୍ତର୍ଗତ କାକ୍କୁର ଗ୍ରାମଠାରେ ଏକ ଠିକ ସଂସ୍ଥାଙ୍କ ପାଖରେ କାମ କରିବାକୁ ଯାଇଥିଲେ l ହେଲେ ଗତ ୧ ତାରିଖରେ ସେଠାରେ କାମ କରୁଥିବା ସମୟରେ ଘର ସୁରକ୍ଷା ପାଚେରୀ କାନ୍ଥ ଭୁଷୁଡି ତାଙ୍କ ଉପରେ ପଡିବାରୁ କାନ୍ଥ ତଳେ ଚାପି ହୋଇ ଗୁରୁତର ହୋଇ ଥିଲେ। ପରେ ସ୍ଥାନୀୟ କିଛି ସାମ୍ବାଦିକ ଓ ପୋଲିସ ପ୍ରଶାସନ ମିଳିତ ଉଦ୍ୟମରେ ସେଠାରୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ହେଲେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ତେବେ ଘଟଣା ଘଟି ୨ଦିନ ପରେ ସ୍ଥାନୀୟ ପୋଲିସ ଏବଂ ମେଡିକାଲର ସହଯୋଗରେ ଆମ୍ବୁଲାନ୍ସ ଯୋଗେ ସୋମବାର ସକାଳେ ଭିଟାମାଟିକୁ ମୃତଦେହ ପହଞ୍ଚିଥିବା ବେଳେ ଘଟଣାକୁ ନେଇ ପରିବାର ତଥା ଗାଁରେ ଶୋକର ଛାୟା ଖେଳିଯାଇଛି।