Surya Kumar Yadav of Mumbai Indians plays a shot during match 20 of season 13 of the Dream 11 Indian Premier League (IPL) between the Mumbai Indians and the Rajasthan Royals at the Sheikh Zayed Stadium, Abu Dhabi in the United Arab Emirates on the 6th October 2020. Photo by: Pankaj Nangia / Sportzpics for BCCI
ଆବୁଧାବି, ୭।୧୦- ଦୃଢ଼ ବ୍ୟାଟିଂ ପରେ ପ୍ରଭାବୀ ବୋଲିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୫୭ ରନରେ ପରାସ୍ତ କରିଛି। ମୁମ୍ବାଇ ୨୦ ଓଭରରେ ୪ ଉଇକେଟ ହରାଇ ୧୯୩ ରନ କରିଥିବାବେଳେ ରାଜସ୍ଥାନ ୧୮.୧ ଓଭରରେ ୧୩୬ ରନକରି ଅଲଆଉଟ ହୋଇ ଯାଇଥିଲା। ୫ ମ୍ୟାଚରୁ ୪ର୍ଥ ବିଜୟ ସହ ମୁମ୍ବାଇ ପୁଣି ପଏଣ୍ଟ ଟେବୁଲର ଶୀର୍ଷକୁ ଫେରିଛି। ଦିଲ୍ଲୀ କ୍ୟାପିଟାଲ୍ସ ସମାନ ୮ ପଏଣ୍ଟ ପାଇଥିଲେ ହେଁ ରନ ହାରରେ ଉପରେ ରହିଛି ମୁମ୍ବାଇ। ଅନ୍ୟପକ୍ଷରେ ସ୍ଥିର ପ୍ରଦର୍ଶନ ଦେଇ ପାରି ନ ଥିବା ରାଜସ୍ଥାନ ୫ ମ୍ୟାଚରୁ ତୃତୀୟ ପରାଜୟ ସହ ୭ମ ସ୍ଥାନକୁ ଖସିଛି। ଏକାଧିକ ଖେଳାଳି ପରିବର୍ତ୍ତନ ସତ୍ତ୍ୱେ ଏହା ଦଳର ବିଜୟରେ ସହାୟକ ହୋଇ ପାରିନାହିଁ।
ବିଜୟ ଲକ୍ଷ୍ୟ ବଡ଼ ଥିବାବେଳେ ରାଜସ୍ଥାନର ଆରମ୍ଭ ଅତ୍ୟନ୍ତ ଖରାପ ହୋଇଥିଲା। ଦଳକୁ ଫେରିଥିବା ଯୁବ ଓପନର ଯଶସ୍ବି ଜୟସ୍ବାଲ ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିବାବେଳେ ଅଧିନାୟକ ଷ୍ଟିଭେନ ସ୍ମିଥ ମାତ୍ର ୬ ରନ କରି ଯଶପ୍ରୀତ ବୁମ୍ରାଙ୍କ ବଲ୍ରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ମିଡଲ ଅର୍ଡରରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଡକ୍(୦)ରେ ଆଉଟ ହେବା ଦଳକୁ ଶକ୍ତ ଧକ୍କା ପହଞ୍ଚାଇଥିଲା। ୧୨ ରନ ମଧ୍ୟରେ ଦଳ ୩ଟି ଉଇକେଟ ହରାଇ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ରନ ଚେଜ୍ ଆଶା କ୍ରମେ ମଉଳି ଯାଉଥିବାବେଳେ ମହୀପାଲ ଲାମରୋର ମାତ୍ର ୧୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଜୋସ୍ ବଟଲର ସଂଘର୍ଷ ଜାରି ରଖିଥିଲେ ହେଁ ତାଙ୍କୁ ଉପଯୁକ୍ତ ସହଯୋଗ ମିଳି ନ ଥିଲା। ଟପ୍ ଅର୍ଡରରେ ବଡ଼ ପାର୍ଟନରଶିପ୍ର ଅଭାବ ମଧ୍ୟ ଦଳପାଇଁ ମହଙ୍ଗା ପଡ଼ିଥିଲା। ଫଳରେ ଆବଶ୍ୟକ ରନହାର କ୍ରମେ ବଢ଼ିଯାଇଥିଲା। ସ୍ଥିତିକୁ ଦୃଷ୍ଟିରେ ରଖି ଜେମ୍ସ ପ୍ୟାଟିନସନଙ୍କ ଓଭରରେ ବଡ଼ ଶଟ୍ ଖେଳିବା ଚକ୍କରରେ ବଟଲର ମିଡ୍ଅନ୍ରେ କିରନ ପୋଲାର୍ଡଙ୍କ ଚିତାକର୍ଷକ କ୍ୟାଚର ଶିକାର ହୋଇଥିଲେ। ସେ ୪୪ଟି ବଲ୍ ଖେଳି ୪ ଚୌକା ଓ ୫ ଛକା ସହ ୭୦ ରନ କରିଥିଲେ। ଶାରଜା ତୁଳନାରେ ଶେଖ୍ ଜାୟେଦ ଷ୍ଟାଡିୟମ ଅପେକ୍ଷାକୃତ ବଡ଼ ହୋଇଥିବାରୁ ରୟାଲ୍ସ ବ୍ୟାଟ୍ସମ୍ୟାନଙ୍କ ଅଧିକାଂଶ ଶଟ୍ ବାହାକୁ ଯାଇପାରି ନ ଥିଲା। ଟମ୍ କୁରାନ ୧୫ ରନରେ ଆଉଟ ହୋଇଥିଲେ। ଶେଷ ଭାଗରେ ଜୋଫ୍ରା ଆର୍ଚର ୧୧ ବଲ୍ରୁ ୨୪ (୩ ଚୌକା, ୧ ଛକା) ରନ କରିଥିଲେ। ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମ୍ରା ସର୍ବାଧିକ ୪ଟି, ଟ୍ରେଣ୍ଟ ବୋଲ୍ଟ ଓ ଜେମ୍ସ ପ୍ୟାଟିନସନ ୨ଟି ଲେଖାଏ ଏବଂ ରାହୁଲ ଚହର ଓ କିରନ ପୋଲାର୍ଡ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ମୁମ୍ବାଇ। ଦୁଇ ଓପନର କ୍ୱିଣ୍ଟନ ଡିକକ୍ ଓ ଅଧିନାୟକ ରୋହିତ ଶର୍ମା ପ୍ରଥମ ଉଇକେଟରେ ୨୯ ବଲ୍ରୁ ୪୯ ରନ ଯୋଗ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ। ଡିକକ୍ ୧୫ ବଲ୍ରୁ ୩ ଚୌକା ଓ ୧ ଛକା ସହାୟତାରେ ୨୩ ରନ କରିଥିବାବେଳେ ନବାଗତ କାର୍ତ୍ତିକ ତ୍ୟାଗୀଙ୍କ ବଲ୍ରେ ଉଇକେଟ କିପର ଜୋସ ବଟଲରଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ରୋହିତ ୨୩ ବଲ୍ରୁ ୩୫(୨ ଚୌକା, ୩ ଛକା) ରନ କରିଥିବାବେଳେ ଇଶାନ କିଶନ ଫେଲ୍ ମାରି ଡକ୍(୦)ରେ ଆଉଟ ହୋଇଥିଲେ। ପୂର୍ବ ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରିଥିବା କୃନାଲ ପାଣ୍ଡ୍ୟା ବ୍ୟାଟିଂ କ୍ରମରେ ଆଗରେ ଆସିଥିଲେ ହେଁ ୧୭ ବଲ୍ରୁ ମାତ୍ର ୧୨ ରନ କରି ପାରିଥିଲେ। ତେବେ ଦଳର ମୋଟ ସ୍କୋର ଉପରେ ଏହା ଫରକ ପକାଇ ନ ଥିଲା। ସୂର୍ଯ୍ୟକୁମାର ଯାଦବ ଖେଳିଥିଲେ ଦର୍ଶନୀୟ ଇନିଂସ। ସେ ୩୩ ବଲ୍ରୁ ଦ୍ରୁତ ଅର୍ଦ୍ଧଶତକ ପୂରଣ କରିଥିବାବେଳେ ମୋଟ ୪୭ଟି ବଲ୍ ଖେଳି ୧୧ ଚୌକା ଓ ୨ ଛକା ସହାୟତାରେ ସର୍ବାଧିକ ୭୯ ରନ ସ୍କୋର କରି ଅପରାଜିତ ରହିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲ୍ରୁ ୩୦(୨ ଚୌକା, ୧ ଛକା) ରନ କରିବାରୁ ମୁମ୍ବାଇ ସ୍କୋର ୨୦ ଓଭରରେ ୧୯୩/୪ରେ ପହଞ୍ଚତ୍ ଯାଇଥିଲା। ସୂର୍ଯ୍ୟକୁମାର ଓ ହାର୍ଦ୍ଦିକଙ୍କ ଅସମାପ୍ତ ୫ମ ଉଇକେଟ ଯୋଡ଼ିରୁ ୭୬ ରନ ସଂଗୃହୀତ ହୋଇଥିଲା। ରାଜସ୍ଥାନ ବୋଲରଙ୍କ ମଧ୍ୟରେ ଶ୍ରେୟାସ ଗୋପାଲ ୨ଟି ଏବଂ ଜୋଫ୍ରା ଆର୍ଚର ଓ କାର୍ତ୍ତିକ ତା୍ୟାଗୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୯୩/୪(ସୂର୍ଯ୍ୟକୁମାର-୭୯*, ରୋହିତ-୩୫, ହାର୍ଦ୍ଦିକ-୩୦*, ଡିକକ୍-୨୩, ଗୋପାଳ-୨/୨୮, ଆର୍ଚର-୧/୩୪, ତ୍ୟାଗୀ-୧/୩୬)। ରାଜସ୍ଥାନ ରୟାଲ୍ସ ୧୮.୧ ଓଭରରେ ୧୩୬/ଅଲଆଉଟ (ବଟଲର-୭୦, ବୁମ୍ରା-୪/୨୦, ବୋଲ୍ଟ-୨/୨୬, ପ୍ୟାଟିନସନ-୨/୧୯, ରାହୁଲ ଚହର-୧/୨୪, ପୋଲାର୍ଡ-୧/୨୪)।