କୋଲକାତା,୧୩।୪: ଓ୍ବକ୍ଫ ସଂଶୋଧନ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗର ମୁସଲମାନ ବହୁଳ ମୁର୍ଶିଦାବାଦ ଜିଲାରେ ଆରମ୍ଭ ହୋଇଥିବା ବିକ୍ଷୋଭ ଉଗ୍ରରୂପ ନେଇଛି। ରବିବାର ପୁଣି ଥରେ ଧୂଲିଆନରେ ଗୁଳିକାଣ୍ଡ ଘଟିଥିବା ବେଳେ ୨ ଜଣ ଶିଶୁ ଆହତ ହୋଇଛନ୍ତି। ବିକ୍ଷୋଭକାରୀମାନେ ବିଏସ୍ଏଫ୍ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ପଶ୍ଚିମବଙ୍ଗ ଡିଜିପି ରାଜୀବ କୁମାର ହିଂସା ପ୍ରଭାବିତ ଅଞ୍ଚଳରେ ପରିସ୍ଥିତି ନିୟନ୍ତ୍ରଣରେ ଥିବା କହିଥିବା ବେଳେ ଆଜି ସକାଳେ ଏଠାରେ ପୁଣି ଗୁଳିଚାଳନା ହୋଇଛି ।
ୱକଫ୍ ଆଇନ ପ୍ରତିବାଦରେ ପଶ୍ଚିମବଙ୍ଗ ହିଂସାର ନିଆଁରେ ଜଳୁଛି। ମୁର୍ଶିଦାବାଦରେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ହିଂସାରେ ଏପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି। ହିଂସା ଯୋଗୁ ଏପର୍ଯ୍ୟନ୍ତ ୧୩୮ ଜଣଙ୍କୁ ଗିରଫ କରାଯାଇଛି। ଶନିବାର ହିଂସା ଯୋଗୁ ମୁର୍ଶିଦାବାଦରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଥିଲା।
ହିଂସା ପରେ ଧୂଲିଆନ ଏବଂ ଶମସେରଗଞ୍ଜ ସମେତ ପ୍ରମୁଖ ଅଞ୍ଚଳରେ ଅଶାନ୍ତିର ବାତାବରଣ ରହିଛି। ମୁସଲିମ ସଂଗଠନଗୁଡ଼ିକ ୱାକଫ ଆଇନ ବିରୋଧରେ ନିରନ୍ତର ପ୍ରତିବାଦ କରୁଛନ୍ତି। ଶୁକ୍ରବାର ମୁର୍ଶିଦାବାଦରେ ହିଂସା ଘଟିଥିଲା। ସେବେଠାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ପ୍ରତିବାଦ ମଧ୍ୟରେ ଗତକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ବୟାନ ମଧ୍ୟ ପ୍ରକାଶ ପାଇଛି। ପଶ୍ଚିମବଙ୍ଗରେ ୱକଫ୍ ଆଇନ ଲାଗୁ ହେବ ନାହିଁ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମମତା ଲୋକମାନଙ୍କୁ ଶାନ୍ତ ରହିବା ଏବଂ ଉତ୍ତେଜନା ନ କରିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଆମେ କୌଣସି ହିଂସାତ୍ମକ କାର୍ଯ୍ୟକଳାପକୁ ସମର୍ଥନ କରୁନାହୁଁ। କିଛି ଦଳ ରାଜନୈତିକ ଲାଭ ପାଇଁ ଧର୍ମର ଅପବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ ଦ୍ୱାରା ଭ୍ରମିତ ହୁଅନ୍ତୁ ନାହିଁ। ପ୍ରତ୍ୟେକ ମଣିଷ ଜୀବନ ମୂଲ୍ୟବାନ; ରାଜନୀତି ପାଇଁ ଦଙ୍ଗାକୁ ଉସୁକାନ୍ତୁ ନାହିଁ। ଯେଉଁମାନେ ଦଙ୍ଗା ସୃଷ୍ଟି କରୁଛନ୍ତି, ସେମାନେ ସମାଜର କ୍ଷତି କରୁଛନ୍ତି ବୋଲି ସେ କହିଛନ୍ତି।