ୟୁପି ପରେ ମହାରାଷ୍ଟ୍ରକୁ ବ୍ୟାପିଲା ‘ଆଇ ଲଭ୍‌ ମହମ୍ମଦ’ ବିବାଦ

ଅହିଲ୍ୟାନଗର, ୩୦ା୯: ମହାରାଷ୍ଟ୍ରର ଅହିଲ୍ୟାନଗର ଜିଲା ମିଲିଓ୍ବାଡ଼ା ଅଞ୍ଚଳରେ ‘ଆଇ ଲଭ୍‌ ମହମ୍ମଦ’ ଲେଖାଥିବା ଏକ ରଙ୍ଗୋଲିକୁ ନେଇ ଉତ୍ତେଜନା ଦେଖାଦେଇଛି। ରବିବାର ରାତିରେ କେତେଜଣ ଅଚିହ୍ନା ବ୍ୟକ୍ତି ଏକ ରଙ୍ଗୋଲି ପ୍ରସ୍ତୁତ କରି ସେଥିରେ ଆଇ ଲଭ୍‌ ମହମ୍ମଦ ଲେଖିଥିଲେ। ସୋମବାର ସକାଳେ ସୋସିଆଲ ମିଡିଆରେ ରଙ୍ଗୋଲିର ଫଟୋ ଭାଇରାଲ ହୋଇଥିଲା। ଫଳରେ ମୁସଲମାନ ସମ୍ପ୍ରଦାୟର ଯୁବକ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ବିକ୍ଷୋଭ ହିଂସାତ୍ମକ ରୂପ ନେବାରୁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡ଼ିଥିଲା। ପୋଲିସ ସୂଚନା ମୁତାବକ, ସୋମବାର ସକାଳେ ଆଇ ଲଭ୍‌ ମହମ୍ମଦ ଲେଖାଥିବା ରଙ୍ଗୋଲିକୁ ଦେଖି ମୁସଲମାନ ସମ୍ପ୍ରଦାୟର ଲୋକେ ଥାନାରେ ଏତଲା ଦେଇଥିଲେ। ପୋଲିସ ମାମଲା ରୁଜୁ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଏଥିରେ ସନ୍ତୁଷ୍ଟ ନ ହୋଇ ମୁସଲମାନ ଯୁବକ କୋଟଲା ଅଞ୍ଚଳରେ ବିକ୍ଷୋଭ କରିଥିଲେ। ପୋଲିସ ବିକ୍ଷୋଭକାରୀଙ୍କୁ ବୁଝାଇବା ପାଇଁ ପ୍ରୟାସ କରୁଥିବା ବେଳେ ପ୍ରଦର୍ଶନକାରୀ ପୋଲିସ ଉପରକୁ ଟେକା ମାଡ଼ କରିଥିଲେ। ଫଳରେ ପୋଲିସ ଲାଠିଚାର୍ଜ କରିଥିଲା। ସୋମବାର ସା ସୁଦ୍ଧା ଘଟଣାକୁ ନେଇ ପୋଲିସ ୩୦ ଜଣଙ୍କୁ ଅଟକ ରଖିଛି। ପରିସ୍ଥିତି ନିୟନ୍ତ୍ରଣରେ ଥିବା ପୋଲିସ କହିଛି।

Share