ଖବର ପ୍ରକାଶ ପରେ ରଥ ସାହି ଛକରେ ଲାଗିଲା ହାଇମାଷ୍ଟ ଲାଇଟ୍‌

ପୁରୁଷୋତ୍ତମପୁର,୩୦ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ମୁଖ୍ୟ ରଥସାହି ଛକଟି ୪ ମାସରୁ ଊର୍ଦ୍ଧ୍ୱ ହେଲା ଅନ୍ଧକାର ରହିଥିବା ବେଳେ ଧରିତ୍ରୀ ପ୍ରଭାବରେ ଶନିବାର ଆଲୋକିତ ହୋଇଛି। ସହରର ଏହି ମୁଖ୍ୟ ଅନ୍ଧାରରେ ରହିଥିଲେ ସୁଦ୍ଧା ଏଥିପ୍ରତି ଏନ୍‌ଏସି ନିର୍ବାହୀ ଅଧିକାରୀ, ଅଧ୍ୟକ୍ଷ କି କୌଣସି ଜନପ୍ରତିନିଧି କାହାରି ହେଲେ ନଜର ପଡୁ ନ ଥିଲା। ଲୋକେ ବାରମ୍ବାର ଅଭିଯୋଗ କରିବାରେ ଲାଗିଥିଲେ ମଧ୍ୟ ଏନ୍‌ଏସି ପ୍ରଶାସନ ଗୁରୁତ୍ୱ ଦେଉ ନ ଥିଲା। ଲୋକଙ୍କ ଏହି ସସସ୍ୟାର ଅଭିଯୋଗକୁ ନେଇ ଶୁକ୍ରବାର ଏକମାତ୍ର ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଏନ୍‌ଏସି ପ୍ରଶାସନର ନିଦଭାଙ୍ଗିଛି। ଯାହାକି ଯୁଦ୍ଧକାଳୀନ ଭିତ୍ତିରେ ଶନିବାର ହାଇମାଷ୍ଟରେ ଦୁଇ ଶହ ଓ୍ବାଟ୍‌ କ୍ଷମତା ସମ୍ପନ୍ନର ୬ଟି ନୂଆ ଲାଇଟ୍‌ ଲଗାଇଛନ୍ତି ଏନ୍‌ଏସି ପ୍ରଶାସନ। ପୂର୍ବରୁ ଏଠାରେ ୩ ଶହ ଓ୍ବାଟ୍‌ କ୍ଷମତା ସମ୍ପନ୍ନ ଲାଇଟ ଲାଗିଥିବା ବେଳେ ତାହା ପୋଡ଼ି ନଷ୍ଟ ହୋଇଯାଇଥିଲା।

ସୂଚନାଯୋଗ୍ୟ, ଏହି ସ୍ଥାନଟି ଜନଗହଳିପୂର୍ଣ୍ଣ ଓ ଆସିକା-ହୁମ୍ମା ମୁଖ୍ୟରାସ୍ତା ହୋଇଥିବାରୁ ଏଠାରେ ବାରମ୍ବାର ଦୁର୍ଘଟଣା ସହ ବିଭିନ୍ନ ସମସ୍ୟା ଦେଖା ଦେଉଥିବାରୁ ଏହାକୁ ରୋକିବା ଲାଗି ତିନିବର୍ଷ ତଳେ ଏଠାରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ହାଇମାଷ୍ଟ ପୋଷ୍ଟ ନିର୍ମାଣ କରାଯାଇ ସେଥିରେ ତିନିଶହ ଓ୍ବାଟ୍‌ କ୍ଷମତା ସମ୍ପନ୍ନ ୬ଟି ଲାଇଟ୍‌ ଲଗାଯାଇ ଆଲୋକୀକରଣ କରାଯାଇଥିଲା। ମାତ୍ର ଏହା ଖରାପ ହେବା ପରେ ତାହାକୁ ବଦଳାଇ ମିଶାମିଶି କରି ୩ ଶହ ତିନିଗୋଟି ଓ ୨୫୦ କ୍ଷମତା ସମ୍ପନ୍ନ ନିମ୍ମମାନର ଲାଇଟ୍‌ ୩ଟି ଲଗାଯାଇଥିଲା ଓ ସେହି ଲାଇଟ୍‌ମ୍ୟାନ୍‌ ମଧ୍ୟ ଛଅମାସ ହେଲା ଗୋଟାଏ ପରେ ଗୋଟାଏ ପୋଡ଼ି ନଷ୍ଟ ହେବାରେ ଲାଗିଥିବା ବେଳେ ବର୍ତ୍ତମାନ ୪ ମାସରୁ ଊର୍ଦ୍ଧ୍ୱ ହେଲା ଜଳୁଥିବା ଗୋଟିଏ ମାତ୍ର ଲାଇଟ୍‌ କେତେବେଳେ ଲାଗୁଥିଲା ଆଉ କେତେବେଳେ ଲିଭିଯାଉଥିଲା। ଫଳରେ ଆଲୋକୀକରଣ ହୋଇ ନ ପାରି ସମ୍ପୂର୍ଣ୍ଣ ଅନ୍ଧକାର ରହୁଥିଲା। ଯାହାଦ୍ବାରା ଏଠାରେ ଦୁର୍ଘଟଣାମାନ ଘଟିବା ସହ ଜଗନ୍ନାଥ ମନ୍ଦିରରୁ ସନ୍ଧ୍ୟାରେ ଦର୍ଶନ ଲାଗି ଆସୁଥିବା ମହିଳାମାନେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଥିଲେ।

 

Share