ନୂଆଦିଲ୍ଲୀ,୩୧ା୧: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାତ୍ସଲ୍ୟ କରି କହିବା ପରେ ରାଷ୍ଟ୍ରପତି ଭବନରୁ ଏହାର ଉତ୍ତର ଆସିଛି। ସୋନିଆଙ୍କ ବୟାନକୁ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ମଧ୍ୟ କଡ଼ା ଜବାବ ଦିଆଯାଇଛି। ସୋନିଆଙ୍କ ବୟାନ ଗ୍ରହଣୀୟ ନୁହେଁ, ସର୍ବୋଚ୍ଚ ପଦବୀର ମର୍ଯ୍ୟାଦାକୁ ସୋନିଆଙ୍କ ବକ୍ତବ୍ୟ ଆଘାତ ଦେଇଛି। ଯାହା ଆଦୌ ଶୋଭନୀୟ ନୁହେଁ। ରାଷ୍ଟ୍ରପତି କୌଣସି କ୍ଷେତ୍ରରେ ଥକ୍କି ପଡ଼ିନାହାନ୍ତି। ଅବହେଳିତ ବର୍ଗଙ୍କ ବାବଦରେ କହିବା କଦାପି କ୍ଳାନ୍ତ ଆଣେନି ବୋଲି ରାଷ୍ଟ୍ରପତି ଭବନରୁ ବୟାନ ଆସିଛି।
ସୂଚନାଯୋଗ୍ୟ, ସୋନିଆ ଗାନ୍ଧୀ ଶୁକ୍ରବାର ବଜେଟ୍ ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ରାହୁଲ ଗାନ୍ଧୀ ମଧ୍ୟ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ପ୍ରତିକ୍ରିୟା ଦେଇଥିଲେ। ସୋନିଆ ରାଷ୍ଟ୍ରପତିଙ୍କୁ ଜଣେ ‘Poor Lady’ ବୋଲି କହିଥିଲେ ଏବଂ କହିଥିଲେ ଯେ, ଭାଷଣ ପରେ ସେ କ୍ଳାନ୍ତ ହୋଇଯାଇଥିଲେ। ଏହି ସମୟରେ ରାହୁଲ ରାଷ୍ଟ୍ରପତିଙ୍କ ଭାଷଣକୁ ବିରକ୍ତିକର ବୋଲି କହିଥିଲେ, ଯାହା ପରେ ରାଜନୀତି ଉଷ୍ମ ହୋଇଗଲାଣି। ଭାଜପା ଅଭିଯୋଗ କରିଛି ଯେ, ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି, କ୍ଷମା ମାଗିବା ଉଚିତ।
ସଂସଦର ବଜେଟ ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଲୋକ ସଭାରେ ଅର୍ଥନୈତିକ ସର୍ଭେ ୨୦୨୪-୨୫ ଉପସ୍ଥାପନ କରିଥିଲେ। ଏହା ପରେ ଲୋକ ସଭାର କାର୍ଯ୍ୟକୁ ଫେବୃଆରୀ ୧, ୨୦୨୫ ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ରାଷ୍ଟ୍ରପତି ଶୁକ୍ରବାର ସରକାରଙ୍କ ସଫଳତା ଉପରେ ଆଲୋକପାତ କରି କହିଥିଲେ, ଏକ ରାଷ୍ଟ୍ର, ଏକ ନିର୍ବାଚନ ଏବଂ ୱାକଫ (ସଂଶୋଧନ) ବିଲ ଭଳି ଆଇନ ଗୃହୀତ ହୋଇଛି।
ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଏହା ମଧ୍ୟ କହିଥିଲେ ଯେ, ସରକାର ଅଭୂତପୂର୍ବ ସଫଳତା ମାଧ୍ୟମରେ ଭାରତର ବିକାଶ ଯାତ୍ରାର ଏହି ଅମୃତ କାଳକୁ ନୂତନ ଶକ୍ତି ପ୍ରଦାନ କରୁଛନ୍ତି। ସରକାରଙ୍କ ପ୍ରୟାସ ଯୋଗୁ ଦେଶର ୨୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ବାହାରି ଆସିଛନ୍ତି। ଭାରତ ବିଶ୍ବର ୩ୟ ବଡ଼ ଅର୍ଥ ବ୍ୟବସ୍ଥା ହେବାକୁ ଯାଉଛି। ସରକାରୀ କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ଗଠନ ହୋଇଛି। ମଧ୍ୟବିତ୍ତ ଯେତେ ବଡ଼ ସ୍ବପ୍ନ ଦେଖିବ, ଦେଶ ସେତେ ଆଗେଇବ।