ନୂଆଦିଲ୍ଲୀ,୨୫।୨: ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁରଙ୍କ କେତେକ ମନ୍ତବ୍ୟକୁ ନେଇ କେରଳ କଂଗ୍ରେସରେ ବିବାଦ ଦେଖାଦେଇଛି। ଦଳ ପକ୍ଷରୁ ଭାବମୂର୍ତ୍ତି ସଜାଡ଼ିବା ଉଦ୍ୟମ ସ୍ବରୂପ ବୈଠକ ଡକାଯାଇଛି। ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଦଳର ବହୁ ବରିଷ୍ଠ ନେତା ଯୋଗଦେବେ। ତେବେ ଥରୁରଙ୍କ ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା ନ ଦେବାକୁ ଦଳ ନିଷ୍ପତ୍ତି ନେଇଛି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଥିରୁଭାନନ୍ଥପୁରମ୍ରୁ ୪ ଥର ଏମ୍ପି ହୋଇଥିବା ଥରୁର ନିକଟରେ କେରଳରେ ସିପିଏମ୍ର ନୀତି ଓ ରାଜ୍ୟର ଅଭିବୃଦ୍ଧିକୁ ପ୍ରଶଂସା କରିଥିଲେ। ଏଥିସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବୈଠକକୁ ମଧ୍ୟ ପ୍ରଶଂସା କରି ମତାମତ ଦେଇଥିଲେ। ଦଳ ଭିତରେ ରହି ଦଳକୁ ଦୁର୍ବଳ କରାଇବା ଆତ୍ମହତ୍ୟା ସଦୃଶ ବୋଲି କେରଳ କଂଗ୍ରେସ ମୁଖପତ୍ର ସମ୍ପାଦକୀୟରେ ଲେଖାଯିବା ସହ ଥରୁର ବିକୃତ ରାଜନୀତି କରୁଥିବା ଅଭିଯୋଗ ହୋଇଥିଲା।
ଏହାର ଜବାବରେ ଥରୁର କହିଥିଲେ, କଂଗ୍ରେସ ଯଦି ତାଙ୍କୁ ନ ଚାହେଁ, ତେବେ ବିକଳ୍ପ ରହିଛି। ଦଳରେ ଫାଟ ବଢ଼ୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଥରୁର ମଙ୍ଗଳବାର ଭାଜପା ନେତା ତଥା କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟଲ ଏବଂ ବ୍ରିଟିଶ ବାଣିଜ୍ୟ ସଚିବ ଜୋନାଥନ ରେନୋଲ୍ଡସ୍ଙ୍କ ସହ ସେଲ୍ଫି ଉଠାଇ ଏକ୍ସ’ରେ ପୋଷ୍ଟ କରିବା ପରେ ଦଳରେ ତାଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଆହୁରି ବଢ଼ିଛି।