ଗଞ୍ଜାମ,୫।୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତରେ ବୋରୱେଲ ଖୋଳା ଯାଇଥିଲେ ମଧ୍ୟ ଚାଷୀମାନେ ପାଣିର ସୁବିଧା ପାଇପାରୁନାହାନ୍ତି। ଗତ ୪ ବର୍ଷରୁ ଅଧିକ ସମୟ ଧରି ଖୋଳା ଯାଇଥିବା ବୋରୱେଲକୁ ତାର ସଂଯୋଗ ନାହିଁ। ପାଣି ମଟର ଦାହିଁ କି ଟ୍ରାନ୍ସଫର୍ମର ବି ବସିନାହିଁ। ବିଦ୍ୟୁତ ସଂଯୋଗର ଅଭାବ ଯୋଗୁ ଚାଷୀମାନେ ପାଣି ପାଇଁ ହଇରାଣ ହେଉଛନ୍ତି। ଫଳରେ ପାଣି ଅଭାବରୁ ସେମାନେ ଫସଲ ଉତ୍ପାଦନ କରିପାରୁନାହାନ୍ତି, ଯାହା ସେମାନଙ୍କ ଜୀବନଜୀବିକାକୁ ଗଭୀର ଭାବେ ପ୍ରଭାବିତ କରୁଛି।
ଏହି ଗୁରୁତର ସମସ୍ୟାକୁ ଦୃଷ୍ଟିରେ ରଖି ଯୁବ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଅଚାନକ ଚାଷ ଜମିକୁ ପରିଦର୍ଶନ କରି ଚାଷୀଙ୍କ ଅଭିଯୋଗ ଶୁଣିଛନ୍ତି। ସେ ତୁରନ୍ତ ସମସ୍ୟା ସମାଧାନ ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକ ଶ୍ରୀ ନାୟକ ଓଡ଼ିଶା ଜଳ ସେଚନ ନିଗମର ବରିଷ୍ଠ ଅଧିକାରୀଙ୍କ ସହ ଫୋନ ଯୋଗେ ଆଲୋଚନା କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।
ଏହି ଅବସରରେ ଉଠା ଜଳ ସେଚନର ଅଧିକ୍ଷଣ ଯନ୍ତ୍ରୀ, ହୁମା ଜଳ ସେଚନର ନିର୍ବାହୀ ଯନ୍ତ୍ରୀ ଏବଂ ବିଦ୍ୟୁତ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
ବିଧାୟକ ଚାଷୀଙ୍କ ସମସ୍ୟାକୁ ଗୁରୁତର ଭାବେ ନେଇ ଯଥାଶୀଘ୍ର ବୋରେଓ୍ବେଲଗୁଡିକୁ ବିଦ୍ୟୁତ ସଂଯୋଗ, ମଟର ଏବଂ ଟ୍ରାନ୍ସଫର୍ମର ସ୍ଥାପନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିଦର୍ଶନ ସମୟରେ ପଣିବନ୍ଧରେ ଶତାଧିକ ଚାଷୀଙ୍କ ସହ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହନ, ବିଧାୟକ ପ୍ରତିନିଧି ବନୋଜ ନାହାକ,ସରପଂଚ ମମତା ବେହେରା, ଆତ୍ମାର ଅଧ୍ୟକ୍ଷ ରଘୁନାଥ ସାହୁ, ମଣ୍ଡଳ ସଭାପତି ଟୁକୁନା ସାହୁ,ଯୁବ ନେତା ଲିଙ୍ଗରାଜ ମହାପାତ୍ର, ଡି. ରାଜେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ ଏବଂ ସେମାନେ ବିଧାୟକଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି। ଚାଷୀମାନେ ଆଶା ରଖିଛନ୍ତି ଯେ, ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ଏବଂ ସେମାନେ ନିରବଚ୍ଛିନ୍ନ ପାଣି ସୁବିଧା ପାଇ ଚାଷ କାର୍ଯ୍ୟ ଜାରି ରଖିପାରିବେ l