ନୂଆଦିଲ୍ଲୀ,୧୨।୨: ଭାରତ ଓ ନାମିବିଆ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ରେ ବ୍ୟାଟିଂ ବିପର୍ଯ୍ୟୟ ଓ ବିସ୍ଫୋରକ ଅର୍ଦ୍ଧଶତକର ଏକ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୨୦୯ ରନ୍ ସଂଗ୍ରହ କରିଛି। ଚଳିତ ବିଶ୍ୱକପରେ ଏହା ଟିମ୍ ଇଣ୍ଡିଆର ସର୍ବୋଚ୍ଚ ସ୍କୋର ହୋଇଥିଲେ ହେଁ, ଶେଷ ଓଭରଗୁଡ଼ିକରେ ନାମିବିଆ ବୋଲରଙ୍କ ଘାତକ ବୋଲିଂ ଭାରତୀୟ ବ୍ୟାଟରଙ୍କୁ କଷ୍ଟରେ ପକାଇଥିଲା।
ଓପନିଂ କରିବାକୁ ଆସିଥିବା ସଂଜୁ ସାମସନ ୮ ବଲ୍ରୁ ୨୨ ରନ୍ ଧୂଆଁଧାର ଆରମ୍ଭ କରିଥିଲେ। ଇଶାନ କିଷାନ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୦ ବଲ୍ରେ ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ମୋଟ ୨୪ ବଲ୍ରୁ ୬୧ ରନ୍ (୬ ଚୌକା, ୫ ଛକା) କରି ଆଉଟ୍ ହୋଇଥିଲେ। ତାଙ୍କର ଏହି ପାଳି ଯୋଗୁଁ ଭାରତ ମାତ୍ର ୭ ଓଭର ମଧ୍ୟରେ ୧୦୦ ରନ୍ ଅତିକ୍ରମ କରିଥିଲା। ମଧ୍ୟକ୍ରମରେ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ଗତିରେ ୨୮ ବଲ୍ରୁ ୫୨ ରନ୍ ସଂଗ୍ରହ କରିଥିଲେ। ତେବେ ଅନ୍ୟପଟେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୧୨) ଏବଂ ତିଲକ ବର୍ମା (୨୫) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ।
ଏକ ସମୟରେ ଭାରତ ୨୪୦ ରନ୍ ଆଡ଼କୁ ଅଗ୍ରସର ହେଉଥିବା ବେଳେ ନାମିବିଆ ଅଧିନାୟକ ଗେରାର୍ଡ ଏରାସମସ ଭାରତୀୟ ବ୍ୟାଟିଂ ଲାଇନ୍-ଅପ୍କୁ ଛିନଛତ୍ର କରିଦେଇଥିଲେ। ଭାରତ ଶେଷ ୧୧ଟି ବଲ୍ ମଧ୍ୟରେ ନିଜର ୫ଟି ୱିକେଟ ହରାଇଥିଲା। ରାସମସ ଚମତ୍କାର ବୋଲିଂ କରି ହାର୍ଦ୍ଦିକ, ତିଲକ ଏବଂ ଅକ୍ଷରଙ୍କ ଭଳି ପ୍ରମୁଖ ୪ଟି ୱିକେଟ ନେଇଥିଲେ। ଶେଷ ୪ ଓଭରରେ ଭାରତୀୟ ଦଳ ମାତ୍ର ୨୫ ରନ୍ ଯୋଡ଼ିବାକୁ ସକ୍ଷମ ହୋଇଥିଲା।