ହାଟଡିହୀ,୧୮l୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅମ୍ବୋ ପଞ୍ଚାୟତ କରଗୋଳା ବୈତରଣୀ ନଦୀ ବାଲି ଘାଟରୁ ବେଆଇନ ବାଲି ପରିବହନ ପ୍ରସଙ୍ଗକୁ ନେଇ ସ୍ଥାନୀୟ ବାସିନ୍ଦା ଦୁଇ ଦିନ ହେବ ଆନନ୍ଦପୁର ଉପଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ l ଶନିବାର ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଛି । ଜିଲା ଖଣି ଅଧିକାରୀ ତାରିଣୀ ସିଂ,ହାଟଡିହୀ ତହସିଲଦାର ଶିବବ୍ରତ ତ୍ରିପାଠୀ, ଆନନ୍ଦପୁର ଏସ୍ଡିପିଓ ପ୍ରଶାନ୍ତ କୁମାର ବେହେରା, ନନ୍ଦିପଦା ଥାନା ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର ଏବଂ ଏନଫୋର୍ସମେଣ୍ଟ ଟିମ୍ ଏବଂ ଅନ୍ୟ କର୍ମଚାରୀ ମାନେ ବାଲିଘାଟକୁ ଯାଇଥିଲେ। ଏଥିସହ ବାଲିଘାଟକୁ ଯାଇଥିବା ରାସ୍ତାରେ ଟ୍ରେଞ୍ଚ ଖୋଲାଯାଇଛି। ତେବେ ବାଲିଘାଟକୁ ଏକ ନୂତନ ରାସ୍ତା ନିର୍ମାଣ ହୋଇଥିବା, ଗଛ କଟାଯାଇଥିବା,ନଦୀ ଭିତରେ ଏକ ବନ୍ଧ ନିର୍ମାଣ କରାଯାଇ ନଦୀ ଜଳ ସ୍ରୋତର ଗତିପଥକୁ ପରିବର୍ତ୍ତନ କରାଯାଇଥିବା ଅଧିକାରୀ ମାନେ ଦେଖିବାକୁ ପାଇଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଉଛି ତହସିଲଦାର ଏବଂ ଖଣି ବିଭାଗ କର୍ମଚାରୀ ମାନେ ପ୍ରଥମେ ପୂର୍ବରୁ ଟ୍ରେଞ୍ଚ ଖୋଳିବାକୁ ଯାଇଥିବା ବେଳେ ବାଲି ମାଫିଆଙ୍କଠାରୁ ହତ୍ୟା ଧମକ ପାଇ ନିରାଶ ହୋଇ ଫେରିଥିଲେ । ତେବେ ଏହି ହତ୍ୟା ଧମକ ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ଠାବ କରାଯାଇ ପାରିନି । ଏଥିସହ ବାଲିଘାଟକୁ ରାସ୍ତା ନିର୍ମଣ କରିଥିବା, ଗଛ କାଟିଥିବା, ନଦୀ ଭିତରେ ବନ୍ଧ ନିର୍ମାଣ କରି ଜଳ ସ୍ରୋତର ଗତି ପଥ ପରିବର୍ତ୍ତନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇନି । ଆନନ୍ଦପୁର ଉପଜିଲାପାଳ ନୀଳ ମାଧବ ସୁନା କହିଛନ୍ତି ଅପରାହ୍ନ ପ୍ରାୟ ୨ଟା ସମୟରେ ଧାରଣା ପ୍ରତ୍ୟାହୃତ ହୋଇଛି। ପରିବର୍ତ୍ତନ କରାଯାଇଥିବା ନଦୀର ଗତିପଥକୁ ବାସ୍ତବିକ ଅବସ୍ଥାକୁ ଫେରାଇ ଅଣାଯିବ। ନିୟମିତ ଭାବେ ଚଢ଼ାଉ ଜାରି ରହିବ । ବାଲି ଚୋରା ଚାଲାଣକୁ କଦାପି ପ୍ରଶୟ ଦିଆଯିବନି।