ଗାଇଡ୍‌ଲାଇନ୍‌ ପାଇଁ ବିମାନବନ୍ଦରରେ ଅସମ୍ଭାଳ ଭିଡ଼

ନୂଆଦିଲ୍ଲୀ, ୬।୧୨: ଦିଲ୍ଲୀ ବିମାନବନ୍ଦର ଟର୍ମିନାଲରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ବିଶୃଙ୍ଖଳିତ ସ୍ଥିତିକୁ ନେଇ ଯାତ୍ରୀମାନେ ଆପତ୍ତି ଉଠାଇବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏଥିରେ ହସ୍ତକ୍ଷେପ କରିଛନ୍ତି। ଉତ୍ତମ ଭିଡ଼ ପରିଚାଳନା ବ୍ୟବସ୍ଥା ଗ୍ରହଣ କରିବାକୁ ଦିଲ୍ଲୀ ବିମାନବନ୍ଦର ପରିଚାଳନା ଦାୟିତ୍ୱରେ ରହିଥିବା ଅପରେଟର ଡିଆଇଏଏଲ୍‌କୁ ସିନ୍ଧିଆ ନିର୍ଦ୍ଦେଶ ଦେଇଛନ୍ତି।

କରୋନା ଭୂତାଣୁର ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣକୁ ନେଇ ସରକାର ନୂଆ ଟ୍ରାଭେଲ୍‌ ଗାଇଡ୍‌ଲାଇନ ଜାରି କରିବା ପରେ ଟର୍ମିନାଲଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସିନ୍ଧିଆ ସୋମବାର ଭାରତର ବିମାନ ବନ୍ଦର କର୍ତ୍ତୃପକ୍ଷ, ଇମିଗ୍ରେଶନ ବ୍ୟୁରୋ ଏବଂ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିଃ (ଡିଆଇଏଏଲ୍‌)ର ଅଧିକାରୀମାନଙ୍କ ବୈଠକ ଡାକିଥିଲେ। ବିମାନବନ୍ଦରରେ ଯାତ୍ରୀଙ୍କ ଆର୍‌ଟି-ପିସିଆର୍‌ ପରୀକ୍ଷା ଦାୟିତ୍ୱରେ ଥିବା ଜେନେଷ୍ଟ୍ରିଙ୍ଗ୍‌ସ ଡାଇଗ୍ନୋଷ୍ଟିକ୍ସର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ସଂଶୋଧିତ ଟ୍ରାଭେଲ ଗାଇଡ୍‌ଲାଇନକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିବା ଲୋକେ ବିମାନବନ୍ଦରରେ ଭିଡ଼ ଲଗାଇଥିଲେ। ଘଣ୍ଟାଏ ବିମାନ ଯାତ୍ରା ପାଇଁ ୩ ଘଣ୍ଟା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିବା ଜଣେ ଟୁଇଟ୍‌ କରିଛନ୍ତି। ଓମିକ୍ରନ୍‌ ବିପଦ ଥିବା ଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ୨୦ଟି ସ୍ବତନ୍ତ୍ର କାଉଣ୍ଟର ଖୋଲାଯାଇଥିବା ଡିଆଇଏଏଲ୍‌ ପକ୍ଷରୁ କୁହାଯାଇଛି। ଯାତ୍ରୀମାନଙ୍କ ଆର୍‌ଟି-ପିସିଆର୍‌ ପରୀକ୍ଷାକୁ ବାଧ୍ୟତାମୂଳକ କରାଯାଇଛି।

Share