ପଦ୍ମପୁର,୨୪।୭ (ପ୍ରଦୀପ୍ତ ଦାଶ ): ପଦ୍ମପୁର ବ୍ଳକ ଅଞ୍ଚଳରେ ସାରକୁ ବେଆଇନ ଗଚ୍ଛିତ ରଖିବା, ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦରରେ ବିକ୍ରି ଅଭିଯୋଗ ହେବା ପରେ ଗୁରବାର କୃଷି ବିଭାଗର ସ୍ବତନ୍ତ୍ର ଟିମ ବିଭିନ୍ନ ଦୋକାନରେ ଚଢ଼ାଉ କରିଛନ୍ତି। ଜିଲା କୃଷି ଅଧିକାରୀ ପ୍ରଭାସ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ ଦିପ୍ତିପୁର, ସର୍ଗିବାହାଲ, ମହୁଲପାଲି, ଦହିତା ଓ ପଦ୍ମପୁରର ବିଭିନ୍ନ ଦୋକାନରେ ଚଢାଉ କରାଯାଇଥିଲା। ଚଢାଉରେ ପିଓଏସ ମେସିନରେ ଥିବା ସାର ଏବଂ ଗୋଦାମରେ ମହଜୁଦ ଥିବା ସାରକୁ ତୁଲାନାତ୍ମକ ଯାଞ୍ଚ କରାଯାଇଥିଲା। ଗୋଟିଏ ବସ୍ତା ବି ସାର ଯଦି ଧାର୍ଯ୍ୟ ମୂଲ୍ୟ ଠାରୁ ଅଧିକ ଦରରେ ବିକ୍ରି ହୁଏ ତା’ହେଲେ ଦୋକାନୀଙ୍କ ଲାଇସେନ୍ସ ରଦ୍ଧ କରାଯିବ ବୋଲି ତାଗିଦ କରିଥିଲେ । ବରଗଡ଼ ଜିଲାପାଳଙ୍କ ଆଦେଶ କ୍ରମେ ଜିଲା କୃଷି ଅଧିକାରୀ ପଣ୍ଡାଙ୍କ ସମେତ ପଦ୍ମପୁର ବ୍ଳକ ସହକାରୀ କୃଷି ଅଧିକାରୀ ଝୁମି ମେହେର, ଅତିରିକ୍ତ ତହସିଲଦାର ତପସ୍ବିନୀ କୁଡୁକା,ସହକାରୀ କୃଷି ଅଧିକାରୀ ଜିତେନ୍ଦ୍ର ମୁର୍ମୁ ଓ ସ୍ଥାନୀୟ ପୋଲିସ ଏହି ଚଢାଉରେ ଭାଗ ନେଇଥିଲେ। ପଦ୍ମପୁରରେ ବର୍ତ୍ତମାନ ୟୁରିଆ ସାର ବ୍ୟତିତ ଡିଏପି, ଗ୍ରୋମର, ୨୦-୨୦-୦-୧୩ ଓ ପଟାସ ଚାହିଦା ଠାରୁ କମ ରହିଛି। ଏ ସଂପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ଓ ଜିଲାପାଳ ଆଲୋଚନା କରିଛନ୍ତି । ୨, ୩ଦିନ ଭିତରେ ଏହି ସାର ଆସିଯିବ ବୋଲି କୃଷି ଅଧିକାରୀ ପଣ୍ଡା କହିଛନ୍ତି ।