ଦିଗପହଣ୍ଡି/ପାଟପୁର,୧୯।୭(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପା ଏ ନେଇ ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ତଦନ୍ତକାରୀ ଅଧିକାରୀ ଏସ.ଆଇ ଶୁଭଲକ୍ଷ୍ମୀ କଅଁର ସଦଳବଳେ ଦିଗପହଣ୍ଡି ସହର ଉପକଣ୍ଠ ଚାଙ୍ଗୁଡ଼ିଦେଇ ପାହାଡ଼ ନିକଟରୁ ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ନାବାଳକଙ୍କୁ ଥାନାକୁ ଉଠାଇ ଆଣିଥିଲେ। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଉଭୟଙ୍କ ଡାକ୍ତରୀ ମାଇନା କରାଯିବା ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ନାବାଳିକାଙ୍କ ସହ ଗତ କିଛିବର୍ଷ ହେଲା ନାବାଳକଙ୍କ ସମ୍ପର୍କ ରହିଥିଲା। ଗତ ବୁଧବାର ନାବାଳିକାଙ୍କ ଘରେ କେହି ନ ଥିବା ସୁଯୋଗ ନେଇ ନାବାଳକ ଜଣକ ଘରେ ପଶି ତାଙ୍କୁ ବଳାତ୍କାର କରିବା ସହ ଅପହରଣ କରିନେଇଥିଲେ। ବାପା ଘରକୁ ଫେରିବା ପରେ ଝିଅ ଘରେ ନଥିବା ଦେଖି ଚାରିଆଡ଼େ ଖୋଜା ଖୋଜି କରିବା ପରେ ସନ୍ଧାନ ନମିଳିବାରୁ ସେ ପାଟପୁର ଥାନା ରେ ପହଞ୍ଚି ଏତଲା ଦେଇଥିଲେ।