ନୀଳଗିରି,୧୯ା୭(ପ୍ରଶାନ୍ତ ବିଶ୍ୱାଳ):ରାଜନୈତିକ ଆକ୍ରୋଶର ଶିକାର ହୋଇ ମରଣସହ ସଂଗ୍ରାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଶେଷରେ ୩୩ବର୍ଷ ପରେ ନ୍ୟାୟ ମିଳିଥିବା ବେଳେ ଦୋଷୀଙ୍କୁ ଦଣ୍ଡ ମିଳିଛି। ମାତ୍ର ଏହି ଖୁସିର ମୁହୂର୍ତ୍ତକୁ ଦେଖିବାକୁ ପୀଡ଼ିତ ଜଣକ ଆଉ ନାହାନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମିତ୍ରପୁର ଚଣ୍ଡିପୁର ଗ୍ରାମରେ।
୧୯୯୨ ଅଗଷ୍ଟ ୧୭ତାରିଖରେ ମିତ୍ରପୁର ଚଣ୍ଡିପୁର ଗ୍ରାମର ମନ୍ମଥ ମହାନ୍ତି (ମୂଷା)ଙ୍କୁ ମିତ୍ରପୁର ବଜାରରେ ଅଯୋଧ୍ୟା ଗ୍ରାମର ଚନ୍ଦ୍ରଶେଖର ମିଶ୍ର ଏବଂ ତାଙ୍କର ୪ଜଣ ସହଯୋଗୀ ମରଣାନ୍ତକ ଆକ୍ରମଣ କରି ମୁମୂର୍ଷୁ ଅବସ୍ଥାରେ ଛାଡ଼ି ପଳାଇଯାଇଥିଲେ। ଏନେଇ ନୀଳଗିରି ଥାନାରେ ମାମଲା (ନଂ. ୭୯/୧୯୯୨) ରୁଜୁ ହୋଇ ତଦନ୍ତ କରି ଅଭିଯୁକ୍ତଙ୍କୁ ଧାରା ୪୫୨/୩୦୭/୧୪୭/ ୧୪୮/୧୪୯ରେ ମାକଦ୍ଦମା ହୋଇ ପ୍ରଥମେ ବାଲେଶ୍ୱର କୋର୍ଟ ଏବଂ ପରେ ନୀଳଗିରି ଦୌରାଜଜଙ୍କ କୋର୍ଟରେ କେସ୍ ନଂ. ୨୩/୨୦୦୬,୧୩୩/୧୯୯୬ରେ ବିଚାର ହୋଇ ଶୁକ୍ରବାର ରାୟ ପ୍ରକାଶ ପାଇଛି। ସହକାରୀ ଦୌରାଜଜ ସୁନନ୍ଦା ପ୍ରଧାନ ମୁଦାଲା ଚନ୍ଦ୍ରଶେଖର ମିଶ୍ର ଓ ରଘୁ ମୁଖୀଙ୍କୁ ଦୋଷୀ ସାବ୍ୟସ୍ତ କରି ଧାରା ୩୨୫/୧୪୯ରେ ୧ବର୍ଷ ସଶ୍ରମ କାରାଦଣ୍ଡ ସହ ୪ହଜାର ଟଙ୍କା ଜରିମାନା ଏବଂ ଧାରା ୪୫୨/୧୪୯ରେ ୧ବର୍ଷ ସଶ୍ରମ କାରାଦଣ୍ଡ ଓ ୪ହଜାର ଟଙ୍କା ଅନାଦେୟ ୧ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
ପ୍ରକାଶ ଥାଉ କି, ୨୦୧୫ ମସିହାରେ ପୀଡ଼ିତ ମନ୍ମଥ ମୃତ୍ୟୁବରଣ କରିସାରିଥିଲେ ହେଁ ବିଳମ୍ବରେ ହେଲେ ମଧ୍ୟ ନ୍ୟାୟ ପାଇଥିବାରୁ ପରିବାର ଲୋକେ ଖୁସିବ୍ୟକ୍ତ କରିଛନ୍ତି। ଉକ୍ତ ମକଦ୍ଦମାକୁ ଅତିରିକ୍ତ ପିପି ଅମରେନ୍ଦ୍ର ପଟ୍ଟନାୟକ ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିଲେ।