ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍ର ଏକ ଲିଗ୍ ମ୍ୟାଚ୍ରେ ଆଫଗାନିସ୍ତାନ ୮୨ ରନରେ କାନାଡାକୁ ପରାସ୍ତ କରିଛି। ଏହି ବିଜୟ ସହ ଆଫଗାନିସ୍ତାନର ଅଭିଯାନ ଶେଷ ହୋଇଛି। ଏହି ମ୍ୟାଚ୍ ଜରିଆରେ କାନାଡାର ନବନୀତ ଧାଲିଓ୍ବାଲ ଓ ରବିନ୍ଦ୍ରପାଲ ସିଂ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିଛନ୍ତି।
ବ୍ୟାଟିଂ କରିଥିବା ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୨୦୦ ରନ୍ କରିଥିଲା। ଏହା ଟି୨୦ ବିଶ୍ୱକପ୍ ଇତିହାସରେ ଆଫଗାନିସ୍ତାନ ପାଇଁ ସର୍ବାଧିକ ଦଳଗତ ସ୍କୋର।
ଦଳ ପାଇଁ ଜଦ୍ରାନ ୫୬ ବଲରେ ସର୍ବାଧିକ ୯୫ (୭ ଚୌକା ଓ ୫ ଛକା) ରନ କରିଥିଲେ, ଯାହାକି ଟି୨୦ ବିଶ୍ୱକପ୍ ଇତିହାସରେ ଆଫଗାନିସ୍ତାନର ଖେଳାଳିଙ୍କ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର।
ଅନ୍ୟମାନଙ୍କ ମଧ୍ୟରେ ସେଦ୍ଦିକୁଲା ଅତଲ ୩୨ ବଲରେ ୪୪ (୨ ଲେଖାଏ ଚୌକା ଓ ଛକା) ଓ ରହମାନୁଲା ଗୁରବାଜ ୨୦ ବଲରେ ୩୦ (୫ ଚୌକା) ରନ କରିଥିଲେ। କାନାଡା ପାଇଁ ଯଶକରନ ସିଂ ୩ ଉଇକେଟ ନେଇଥିଲେ। ଜବାବରେ କାନାଡା ନିୟମିତ ବ୍ୟବଧାନରେ ଉଇକେଟ ହରାଇବାରୁ ୨୦ ଓଭରରେ ୮ ଉଇକେଟ ହରାଇ ୧୧୮ ରନ କରିବାକୁ ସକ୍ଷମ ହୋଇଥିଲା।