ନୂଆଦିଲ୍ଲୀ,୫।୩: ଓପନିଂ ବ୍ୟାଟର ଇବ୍ରାହିମ ଜଦ୍ରାନଙ୍କୁ ଆଫଗାନିସ୍ତାନ ଟି୨୦ ଦଳର ଅଧିନାୟକ ଭବେ ନିଯୁକ୍ତ କରାଯାଇଛି। ଆଗାମୀ ଶ୍ରୀଲଙ୍କା ବିପକ୍ଷ ସିରିଜ୍ ଲାଗି ଦଳ ଘୋଷଣା କରାଯିବା ଅବସରରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି) ପକ୍ଷରୁ ଏହି ଘୋଷଣା କରାଯାଇଛି।
ଭାରତରେ ଚାଲିଥିବା ଟି୨୦ ବିଶ୍ୱକପ୍ରେ ଆଫଗାନିସ୍ତାନ ସୁପର-୮ରେ ପହଞ୍ଚିବାରେ ବିଫଳ ହେବା ପରେ ରଶିଦ ଖାନ ଦଳର ନେତୃତ୍ୱ ଦାୟିତ୍ୱରୁ ହଟାଇ ଦିଆଯାଇଛି। ନିକଟରେ ବିଶ୍ୱକପ୍ ଦଳର ସଦସ୍ୟ ଥିବା ଫାଜଲହକ ଫାରୁକି, ଗୁଲବଦିନ ନାଏବ ଓ ମହମ୍ମଦ ଇଶାକଙ୍କ ଉଭୟ ଦିନିକିଆ ଓ ଟି୨୦ ଦଳ ଲାଗି ଚୟନ କରାଯାଇ ନାହିଁ। ଟପ୍ ଅର୍ଡର ଉଇକେଟକିପର ବ୍ୟାଟର ନୂର ରହମାନ, ବାମହାତୀ ସ୍ପିନ ବୋଲର ଶାରାଫୁଦ୍ଦିନ ଅଶ୍ରଫ ଓ ବାମହାତୀ ପେସର ଫରିଦ ଅହମଦଙ୍କୁ ଟି୨୦ ଦଳରେ ଚୟନ କରାଯାଇଥିବା ବେଳେ ଫରିଦ ଅହମଦ ମଲିକ ଦିନିକିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।