Categories: Home Middleଖେଳ

ଏଏଫ୍‌ସି କପ୍‌: ବିଜୟ ସହ ନକ୍ ଆଉଟରେ ଓଏଫ୍‌ସି

ଭୁବନେଶ୍ୱର,୧୧ା୧୨: କଳିଙ୍ଗ ଷ୍ଟାଡିୟମରେଅନୁଷ୍ଠିତ ଏଏଫ୍‌ସି କପ୍‌ର ମ୍ୟାଚ୍‌ରେ ବସୁନ୍ଧରା କିଙ୍ଗ୍ସକୁ ୧-୦ରେ ପରାସ୍ତ କରିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ଏହି ବିଜୟ ସହିତ ଏଏଫ୍‌ସି କପ୍‌ର ନକ୍ ଆଉଟ ରାଉଣ୍ଡକୁ ଦଳ ଉତ୍ତୀର୍ଣ୍ଣ ହୋଇଛି। ଗ୍ରୁପ୍‌ ଡିରେ ସ୍ଥାନ ପାଇଥିବା ଓଏଫ୍‌ସି ୬ ମ୍ୟାଚ୍‌ ଖେଳି ୪ ବିଜୟ ଓ ୨ ପରାଜୟ ସହିତ ୧୨ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛି। ଓଡ଼ିଶା ପକ୍ଷରୁ ୬୧ ତମ ମିନିଟରେ ମୋର୍ଟାଡା ଫଲ୍‌ ଏକମାତ୍ର ଗୋଲ ସ୍କୋର କରିଥିଲେ।

ନକ୍ ଆଉଟ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହେବା ପାଇଁ ଓଏଫ୍‌ସିକୁ ନିଶ୍ଚିତ ବିଜୟ ଆବଶ୍ୟକ ଥିବା ବେଳେ ଦଳ ପ୍ରଥମାର୍ଦ୍ଧରୁ ହିଁ ଆକ୍ରମଣାତ୍ମକ ଫୁଟବଲ ଖେଳିଥିଲା। ଓଏଫ୍‌ସି ୪-୨-୩-୧ କମ୍ବିନେଶନ ସହ ଓହ୍ଲାଇଥିବା ବେଳେ ପ୍ରଥମାର୍ଦ୍ଧରେ ଏକାଧିକ ସ୍କୋରିଂ ସୁଯୋଗ ସୃଷ୍ଟି ହୋଇଥିଲା। ତେବେ ବସୁନ୍ଧରା କିଙ୍ଗ୍ସ ଗୋଲକିପର ଏହାକୁ ରୋକିବାରେ ସମର୍ଥ ହୋଇଥିଲେ।

ପ୍ରଥମାର୍ଦ୍ଧ ଗୋଲଶୂନନ୍ୟ ରହିଥିଲେ ମଧ୍ୟ ଶେଷ ଆଡକୁ ବେଶ ନାଟକୀୟ ରହିଥିଲା। ପ୍ରଥମାର୍ଦ୍ଧର ଅତିରିକ୍ତ ସମୟରେ ଅହମଦ ଜାହୋହଙ୍କୁ ଫାଉଲ ମାରିବା କାରଣରୁ ମିଡଫିଲ୍ଡର ଆସ୍ରୋର ଗଫୁରୋଭଙ୍କୁ ରେଡକାର୍ଡ ପ୍ରଦାନ କରିଥିଲେ ରେଫରି। ଏହାକୁ ନେଇ କିଛି ସମୟ ଧରି ଉତ୍ତେଜନା ମୂଳକ ପରସ୍ଥିତି ଦେଖିବାକୁ ମିଳିଥିଲା। ବସୁନ୍ଧରାର ସପୋର୍ଟ ଷ୍ଟାଫ୍‌ ରେଫରୀଙ୍କ ସହିତ ଯୁକ୍ତି କରିଥିବା ବେଳେ ମୁଖ୍ୟ କୋଚ୍‌ ଓସ୍କାର ବ୍ରୁଜୋନଙ୍କୁ ୟେଲୋ କାର୍ଡ ମିଳିଥିଲା।

ଦ୍ୱିତୀୟାର୍ଦ୍ଧରେ ବସୁନ୍ଧରା କିଙ୍ଗ୍ସ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା। ଓଏଫ୍‌ସି ମ୍ୟାଚ୍‌ରେ ୧୦ଟି କର୍ନର ହାସଲ କରିଥିଲେ ମଧ୍ୟ ବସୁନ୍ଧରା କିଙ୍ଗ୍ସ ଗୋଲକିପର ମେହିଦି ହସନ ଶ୍ରବୋନ୍‌ ଏହାକୁ ରୋକିବାରେ ସମର୍ଥ ହୋଇଥିଲେ। ୬୧ ତମ ମିନିଟରେ ଓଡ଼ିଶାକୁ ମିଳିଥିବା କର୍ନରକୁ ଗୋଲ୍‌ରେ ପରିଣତ କରିଥିଲେ ମୋର୍ଟାଡା ଫଲ୍‌। ଜାହୋହଙ୍କ ଶକ୍ତିଶାଳୀ କର୍ନର କିକ୍‌କୁ ହେଡର ଜରିଆରେ ଗୋଲ୍‌ରେ ପରିଣତ କରିଥିଲେ ଫଲ୍‌। ଏଏଫ୍‌ସି କପ୍‌ରେ ଏହା ତାଙ୍କର ଦ୍ୱିତୀୟ ଗୋଲ୍‌। ପୂର୍ବରୁ ମଜିୟା ଏଫ୍‌ସି ବପକ୍ଷରେ ଫଲ୍‌ ଏକ ଗୋଲ୍‌ ଦେଇଥିଲେ।

Share