ଭୁବନେଶ୍ୱର,୨୭।୧୧: ପରିବେଶ ସୁରକ୍ଷା, ସାମୁଦ୍ରିକ ସଂରକ୍ଷଣ, ପଶୁ କଲ୍ୟାଣ ଏବଂ ଯୁବ ନେତୃତ୍ୱ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ବିଶିଷ୍ଟ ଆଇନଜୀବୀ ତଥା ସାମାଜିକ କର୍ମୀ ଆଡଭୋକେଟ ଅଙ୍କିତା ଗଙ୍ଗା ଦେବଙ୍କୁ ସମ୍ମାନଜନକ ‘କମଳା ରାଇଜିଂ ଷ୍ଟାର୍ସ ଆୱାର୍ଡ-୨୦୨୬’ ପାଇଁ ମନୋନୀତ କରାଯାଇଛି। ‘କମଳା ଅଙ୍କିବାଇ ଘମଣ୍ଡିରାମ ଗୋୱାଣୀ ଟ୍ରଷ୍ଟ’ ପକ୍ଷରୁ ଏହି ଜାତୀୟ ସମ୍ମାନ ପାଇଁ ତାଙ୍କୁ ଚୟନ କରାଯାଇଛି।
ଅଙ୍କିତା ଜଣେ ପରିବେଶ ଓ ପଶୁ କଲ୍ୟାଣ ଆଇନଜୀବୀ ହେବା ସହ ‘UNFCCC ଓସନ ଆକ୍ଟିଭିଷ୍ଟ’ ଏବଂ ଜଣେ ସକ୍ରିୟ ଯୁବ ନେତ୍ରୀ ଭାବେ ଜଣାଶୁଣା। ଭାରତର Y20 ପଦକ୍ଷେପରେ ସକ୍ରିୟ ଅଂଶଗ୍ରହଣ କରିବା ସହ ବିଶ୍ୱ ନାଗରିକତା, ସ୍ଥାୟୀ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ବିଭିନ୍ନ ଆଲୋଚନାଚକ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ବିଶେଷକରି ‘EcoSide’ ପ୍ରକଳ୍ପ ମାଧ୍ୟମରେ ପରିବେଶ ଉପରେ ମାନବୀୟ କାର୍ଯ୍ୟକଳାପର କୁପ୍ରଭାବ ହ୍ରାସ କରିବା ଏବଂ ସାମୁଦ୍ରିକ ଜୈବବିବିଧତାର ସୁରକ୍ଷା ନେଇ ସେ ନିରନ୍ତର ସଚେତନତା ସୃଷ୍ଟି କରିଆସୁଛନ୍ତି। ଏହା ବ୍ୟତୀତ ଭାରତୀୟ ଜନତା ଯୁବ ମୋର୍ଚ୍ଚା ମାଧ୍ୟମରେ ମଧ୍ୟ ସେ ଯୁବ ସଂଗଠନ ଏବଂ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟରେ ସକ୍ରିୟ ଅଛନ୍ତି।
୨୮ ନଭେମ୍ୱର ୨୦୨୬ ତାରିଖ ଅପରାହ୍ନ ୨ଟା ସମୟରେ ନୂଆଦିଲ୍ଲୀସ୍ଥିତ ‘କନଷ୍ଟିଚ୍ୟୁସନ କ୍ଲବ ଅଫ ଇଣ୍ଡିଆ’ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଅଙ୍କିତାଙ୍କ ଏହି ସଫଳତା କେବଳ ତାଙ୍କ ସାମାଜିକ ଓ ପରିବେଶଗତ କାର୍ଯ୍ୟକୁ ଜାତୀୟ ସ୍ତରରେ ସ୍ୱୀକୃତି ଦେଇନାହିଁ, ବରଂ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଦେଇଛି।