ସାର କଳାବଜାରି ରୋକିବା ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ, ଗୋଦାମ ସିଲ

ସମ୍ବଲପୁର,୨୧।୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବିଶେଷକରି ୟୁରିଆ ସାର କଳାବଜାରି ରୋକିବାକୁ ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଜିଲା କୃଷକ ସୁରକ୍ଷା ସଂଗଠନର ଅଭିଯୋଗ ମିଳିବା ପରେ ସାର କଳାବଜାରିରେ ଲିପ୍ତ ୩ ଅସାଧୁ ସାର ବେପାରୀଙ୍କ ବିରୋଧରେ ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜିଲା କୃଷି ବିଭାଗ। କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ ନିର୍ଦ୍ଦେଶରେ ଧନକଉଡ଼ା ବ୍ଲକ କୃଷି ଅଧିକାରୀଙ୍କ ନେତୃତ୍ୱରେ ଏକ ଚଢ଼ାଉକାରୀ ଦଳ ବିଭିନ୍ନ ସ୍ଥାନରେ ସାର ଗୋଦାମ ମାନଙ୍କରେ ଷ୍ଟକ ଓ ବିକ୍ରି ଯାଞ୍ଚ କରିଥିଲେ। ଏଥିରେ ଅନିୟମିତତା ପରିଲକ୍ଷିତ ହେବାରୁ ୩ ସାର ବ୍ୟବସାୟୀଙ୍କ ସାର ବିକ୍ରି ଲାଇସେନ୍ସ ରଦ୍ଦ ଓ ସାମୟିକ ବାତିଲ କରିଛନ୍ତି ଚଢ଼ାଉକାରୀ ଦଳ।

କାର୍ଯ୍ୟାନୁଷ୍ଠାନ ହୋଇଥିବା ସାର ଗୋଦାମ ମଧ୍ୟରେ ସମ୍ବଲପୁର ମହାନଗର ବରେଇପାଲିର ଇଣ୍ଡିଆନ ଏଣ୍ଟରପ୍ରାଇଜେସର ଲାଇସେନ୍ସ ରଦ୍ଦ କରାଯାଇଥିବା୍‌ବେଳେ ଜମନକିରା ବ୍ଳକର ମେସର୍ସ ରତନ ଫର୍ଟିଲାଇଜର ଓ ମେସର୍ସ ବଳରାମ ନାଏକଙ୍କ ଲାଇସେନ୍ସ ସାମୟିକ ବାତିଲ କରାଯାଇ ସମସ୍ତ ଗୋଦାମକୁ ସିଲ କରାଯାଇଛି।

ସୂଚନା ଅନୁଯାୟୀ, ୨ ମାସରୁ ଅଧିକ ସମୟ ହେଲା, ସମ୍ବଲପୁର ଜିଲାରେ ବିଶେଷକରି ୟୁରିଆ ସାରର ଉତ୍କଟ ଅଭାବ ଦେଖା ଦେଇଥିଲା। ପିଏସିଏସ ଓ ଏସଏମଏସ ଭଳି ସରକାରୀ ନିୟୋଜିତ ସଂସ୍ଥାରେ ସାର ମିଳୁ ନ ଥିବାବେଳେ ଖୋଲା ବଜାରରେ ଇଣ୍ଡିଆନ ଏଣ୍ଟରପ୍ରାଇଜେସ ଭଳି ଘରୋଇ ସାର ବ୍ୟବସାୟିକ ସଂସ୍ଥାରେ ୨୬୬ ଟଙ୍କା ମୂଲ୍ୟର ସାରକୁ କଳାବଜାର କରି ୫୨୦ ଟଙ୍କାରେ ବିକ୍ରି କରୁଥିଲେ। ଫଳରେ ଅଞ୍ଚଳର ଚାଷୀମାନେ ଅଯଥା ଶୋଷଣର ଶିକାର ହେଉଥିଲେ। ତେବେ ଏହାର ପର୍ଦ୍ଦାଫାସ କରି ଜିଲା କୃଷକ ସୁରକ୍ଷା ସଂଗଠନର ସଦସ୍ୟମାନେ ଜିଲାପାଳ, ଉପଜିଲାପାଳ ଓ ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ। ଫଳରେ କୃଷି ଅଧିକାରୀଙ୍କ ପ୍ରତିଶ୍ରୁତି ଅନୁସାରେ ଚଢ଼ାଉ କରି ଉକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପ୍ରକାଶ। ଜିଲାରେ ଚାଷୀମାନଙ୍କ ହିତ ଓ ୟୁରିଆ ସାରର ସଠିକ ବଣ୍ଟନକୁ ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀ ହେମନ୍ତ କୁମାର ଜେନା କହିଛନ୍ତି।