ପ୍ଲାଷ୍ଟିକ ଖେଳନା ଗିଳିଦେବାରୁ ଶିଶୁଙ୍କ ମୃତ୍ୟୁ ଘଟଣା: ୨୬ ଘଣ୍ଟା ପରେ ପହଞ୍ଚିଲା ପ୍ରଶାସନ, ରେଡକ୍ରସ ପାଣ୍ଠିରୁ…

ଦାରିଙ୍ଗବାଡି, ୧୯।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ଗ୍ରାମ ନିକଟ ମୁସିମାହା ଗ୍ରାମର ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ପୁଅ ବିଗିଲଙ୍କ ଏକ ଖେଳନା ଗିଳିଦେବାରୁ ମୃତ୍ୟୁ ଘଟିଥିଲା। ଏହି ଘଟଣାର ୨୬ ଘଣ୍ଟା ପରେ ସ୍ଥାନୀୟ ପ୍ରଶାସନ ପହଞ୍ଚି ପରିବାରଲୋକଙ୍କୁ ସମବେଦନା ଜଣାଇବା ସହ ୫ ହଜାର ଟଙ୍କା ସହାୟତା ପ୍ରଦାନ କରିଛି।

ପ୍ରକାଶ ଯେ, ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଦାରିଙ୍ଗବାଡି ତହସିଲଦାର ଧୀରୋଜ ପାତ୍ର ଏବଂ ସିଡିପିଓ ସାଂରାଣୀ ପଣ୍ଡା ପ୍ରମୁଖ ବୁଧବାର ଅପରାହ୍ନରେ ପହଞ୍ଚି  ମୃତ ଶିଶୁଙ୍କ ବାପା ରଞ୍ଜିତଙ୍କୁ ଭେଟି କେଉଁ ପରିସ୍ଥିତିରେ ଏଭଳି ଘଟିଲା ସେନେଇ ପଚାରି ବୁଝିଥିଲେ ଓ ସେଠାରେ ଉପସ୍ଥିତ ଗ୍ରାମବାସୀଙ୍କୁ ପରାମର୍ଶ ଦେଇ ଛୋଟ ପିଲାଙ୍କୁ ଏଭଳି ଖାଦ୍ୟରେ କିଛି ମିଶିଥିବା ଉପହାର ତଥା ପ୍ଲାଷ୍ଟିକ କିମ୍ବା ଅନ୍ୟ କିଛି ପଦାର୍ଥ ରହିଥିବା ପ୍ୟାକେଟ ଖାଦ୍ୟ ନ ଦେବାକୁ କହିଥିଲେ। ଘର ଖାଦ୍ୟ ଖାଇବାକୁ ଅଧିକା ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ସେହିପରି ପଞ୍ଚାୟତ ପକ୍ଷରୁ ମଧ୍ୟ ତାଜୁଙ୍ଗିଆ ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନା ରେ ୩ ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ତହସିଲଦାର ଧୀରୋଜ ପାତ୍ର କହିଛନ୍ତି।

Dharitri – Odisha’s No.1 Odia Daily

Share
Tags: odisha