ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ମୁକାବିଲା ପାଇଁ ପ୍ରଶାସନ ସଜାଗ

ଗଜପତି,୨୬ା୧୦(ଗିରିଧାରୀ ପରିଛା): ‘ସମ୍ଭାବ୍ୟ’ ବାତ୍ୟା ମୋନ୍ଥା ଆନ୍ଧ୍ର ଉପକୂଳ କାକିନଡ଼ାଠାରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ ପରେ ଗଜପତି ଜିଲାକୁ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଯାହାକୁ ନେଇ ଜିଲା ପ୍ରଶାସନ ତତ୍ପର ହୋଇଛି, ଜିଲାରେ ରହିଥିବା ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲ ଗୃହଗୁଡ଼ିକୁ ପ୍ରସ୍ତୁତ କରାଯାଇଛି। ଜିଲାରେ ସମସ୍ତ ସରକାରୀ ଅଧିକାରୀଙ୍କୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରାଯାଇଛି। ତଳିଆ ଅଞ୍ଚଳ ଓ ଜିଲାରେ ଥିବା ୧୩୯ଟି ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ଲୋକଙ୍କୁ ସଚେତନ ପାଇଁ ମାଇକ୍‌ ଜରିଆରେ ସଚେତନ କରାଯାଉଛି। ପ୍ରାଥମିକ ସ୍ତରରେ ଗର୍ଭବତୀ ମାଆମାନଙ୍କୁ ସମସ୍ତ ମାଆ ଗୃହ ଏବଂ ପ୍ରାଥମିକ ଚିକିତ୍ସାଳୟମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ। ପରବର୍ତ୍ତୀ ସମୟରେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ପରିସ୍ଥିତିକୁ ଦେଖି ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରତି ବ୍ଲକ ସ୍ତରରେ ଜଣେ ଜଣେ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ବ୍ଲକସ୍ତରୀୟ ଏବଂ ଜିଲାସ୍ତରୀୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍‌ ବ୍ୟବସ୍ଥା କରାଯାଇଛି। ସମସ୍ତ ମୋବାଇଲ ସେବା ସଂସ୍ଥାମାନଙ୍କୁ ସତର୍କ କରାଯାଇଛି ଯେ, ଯେଭଳି ନେଟଓ୍ବର୍କ ସେବାରେ କୌଣସି ବ୍ୟାହତ ନ ହେବ। ସେହିପରି ବିଦ୍ୟୁତ୍‌ ବିଭାଗକୁ ମଧ୍ୟ ସତର୍କ କରାଯାଇଛି। ପୂର୍ତ୍ତ ବିଭାଗ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବାତ୍ୟା ଜନିତ କୌଣସି କ୍ଷୟକ୍ଷତି ହୁଏ କିମ୍ବା ଭୂସ୍ଖଳନ, ମାଟି ଧସିବା ଓ କୌଣସି କାରଣରୁ ରାସ୍ତା ଅବରୋଧ ହେଲେ ତୁରନ୍ତ ସ୍ଥିତିକୁ ସ୍ବାଭାବିକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ଦୁଇଟି ଓଡ୍ରାଫ୍‌ ଟିମ୍‌ ଆସନ୍ତାକାଲି ସକାଳେ ସୁଦ୍ଧା ପାରଳାଖେମୁଣ୍ଡିରେ ଆସି ପହଞ୍ଚିବେ ଏବଂ ଅଗ୍ନିଶମ ବିଭାଗକୁ ମଧ୍ୟ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗତ ଅକ୍ଟୋବର ୨ରେ ଯେଭଳି ଟିକିଏ ଅସାବଧାନତା ଲାଗି ତିନି ଜଣ ମୃତ୍ୟୁବରଣ କରିଥିବା ସହ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣ ନିଖୋଜ ଅଛନ୍ତି। ଏଭଳି ଘଟଣାର ଯେମିତି ପୁନରାବୃତ୍ତି ନ ହୁଏ ତାହାକୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ତ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି। ସେପଟେ ଜିଲାର ସମସ୍ତ ପର୍ଯ୍ୟଟନସ୍ଥଳୀକୁ ବିଭାଗ ପକ୍ଷରୁ ବାରଣ କରାଯାଇଛି। ଯେଭଳି କୌଣସି ବ୍ୟକ୍ତି ଅମାନିଆ ହୋଇ ପର୍ଯ୍ୟଟନସ୍ଥଳୀକୁ ପ୍ରବେଶ ନ କରିବେ ଏହି ସମସ୍ତ ଜିନିଷର ସମୀକ୍ଷା କରିଛନ୍ତି ଜିଲାପାଳ ମଧୁମିତା।

Dharitri – The Largest & Most Trusted Odia Daily