ଶୂନ୍ୟ ନିର୍ଗମନକୁ ଆଦିତ୍ୟ ଆଲୁମିନିୟମର ଗୁରୁତ୍ୱ

ଭୁବନେଶ୍ୱର,୧୮ା୧(ଅନୁରାଧା ମହାରଣା): ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ସହଯୋଗୀ କମ୍ପାନୀ ଆଦିତ୍ୟ ଆଲୁମିନିୟମ ତାହାର ଲପଙ୍ଗାସ୍ଥିତ କାରଖାନାରୁ ନିର୍ଗତ ଫ୍ଲାଏ ଆଶ୍‌ ନିକଟସ୍ଥ ସିମେଣ୍ଟ ପ୍ଲାଣ୍ଟକୁ ଯୋଗାଣ କରିବ। ଏଥିପାଇଁ ଏକ ୫ବର୍ଷିଆ ଚୁକ୍ତି ସ୍ବାକ୍ଷରିତ କରିଛି। ଏହାସହ କମ୍ପାନୀ ଫ୍ଲାଏ ଆଶ୍‌ ବୋଝେଇ ସ୍ଥଳ ନିକଟରେ ଦୁଇଟି ବଲକର୍‌ ରିଚାର୍ଜ ଷ୍ଟେଶନ ଉଦ୍‌ଘାଟନ କରିଛନ୍ତି। ବିଦ୍ୟୁତ୍‌ଚାଳିତ ଯାନ ବ୍ୟବହାରର ଫଳସ୍ବରୂପ କମ୍ପାନୀ ୩୫୦୦ ଟନ୍‌ କାର୍ବନ ଡାଇଅକ୍ସାଇଡ ନିର୍ଗମନ ହ୍ରାସ କରିବା ଆଶା ରଖିଛି। ଏହାଦ୍ୱାରା ପରିବହନ ଖର୍ଚ୍ଚ ବାବଦରେ ୧.୫ କୋଟି ଟଙ୍କା ସଞ୍ଚୟ କରିବାରେ ସହାୟକ ହେବ ବୋଲି କମ୍ପାନୀ ପକ୍ଷରୁ କୁହଯାଇଛି। ଆଗାମୀ ଦିନରେ ଆଦିତ୍ୟ ଆଲୁମିନିୟମ ବ୍ୟବହାର କରୁଥିବା ଡିଜେଲ ଯାନ ପରିବର୍ତ୍ତେ ଇଭି ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି। କମ୍ପାନୀ ଦ୍ୱାରା ଉପତ୍ାଦନ ହେଉଥିବା ସିମେଣ୍ଟ ପରିମାଣ ମଧ୍ୟରେ ପ୍ରାୟ ୩୨% ଫ୍ଲାଏ ଆଶ୍‌ ରହୁଛି ଏବଂ କମ୍ପାନୀ ପ୍ରାୟ ୧ ନିୟୁତ ଟନ୍‌ ଫ୍ଲାଏ ଆଶ୍‌ ଯୋଗାଇଦେଉଥିବାରୁ ଏହା ୩୩ ହଜାର ମେଟ୍ରିକ ଟନ୍‌ ସିମେଣ୍ଟ ଉପତ୍ାଦନ ନିମନ୍ତେ ବ୍ୟବହାର କରାଯିବ। ଏ ଅବସରରେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ସମ୍ବଲପୁର କ୍ଲଷ୍ଟର ହେଡ୍‌ କୈଳାସ ପାଣ୍ଡେ କହିଛନ୍ତି, ଅନ୍ୟ ଏକ ଶିଳ୍ପରେ କଞ୍ଚାମାଲ ଭାବରେ ବ୍ୟବହାର ନିମନ୍ତେ ବର୍ଜ୍ୟବସ୍ତୁକୁ ଯୋଗାଇଦେବାକୁ ସବୁଜ ପରିବହନ ବିକଳ୍ପକୁ ଗ୍ରହଣକରି ଶୂନ୍ୟ ବର୍ଜ୍ୟ ଭିତ୍ତିକ ଆଲୁମିନା ଉପତ୍ାଦନ କରିବା ପାଇଁ ଆମର ଲକ୍ଷ୍ୟ ହାସଲ ଦିଗରେ ଆଉ ଏକ ପାଦ ଆଗକୁ ବଢ଼ାଉଛୁ। ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ପ୍ରେସିଡେଣ୍ଟ ଓ ଚିଫ୍‌ ଲଜିଷ୍ଟିକ୍ସ ଅଫିସର ସୁକାନ୍ତ ଦାସ କହିଛନ୍ତି, ବିଦ୍ୟୁତ୍‌ଚାଳିତ ଯାନଗୁଡ଼ିକ ବର୍ଜ୍ୟବସ୍ତୁ ଫ୍ଲାଏ ଆଶ୍‌କୁ ସିମେଣ୍ଟ ଶିଳ୍ପକୁ ଏକ କଞ୍ଚାମାଲ ଭାବରେ ପରିବହନ କରିବା ଦ୍ୱାରା ଏହା ଏକ ସବୁଜ ପରିବହନ ବ୍ୟବସ୍ଥା ପ୍ରତି ଅବଦାନ ରଖିବ।