ନୂଆପଡ଼ା,୫ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଆଦିବାସୀଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ବହୁ ଆକାଂକ୍ଷିତ ଆଦି କର୍ମଯୋଗୀ ଅଭିଯାନ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି।
ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇଙ୍କ ଆବହକତ୍ୱରେ ଆୟୋଜିତ ବୈଠକରେ ବନଖଣ୍ଡ ଅଧିକାରୀ ଖଡିଆଳ ଅଜିଜ୍ ଖାନ, ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଏତ, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲାପାଳ ସୁର୍ମି ସୋରେନଙ୍କ ସମେତ ସମସ୍ତ ବିଡିଓ, ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ଆଦି କର୍ମଯୋଗୀ ଅଭିଯାନ ହେଉଛି ଏକ ଜାତୀୟ ଆନ୍ଦୋଳନ। ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏହା ପରିଚାଳିତ। ଏହା କ୍ଷମତା ବିକେନ୍ଦ୍ରୀକରଣ ଓ ସମ୍ପ୍ରଦାୟ ଅଂଶଗ୍ରହଣ ମାଧ୍ୟମରେ ଦେଶର ୫୫୦ ଆଦିବାସୀ ବହୁଳ ଜିଲାର ୧ ଲକ୍ଷ ଗ୍ରାମରେ ୨୦ ଲକ୍ଷ ଆଦିବାସୀଙ୍କୁ ସଶକ୍ତ କରିବା ପାଇଁ ଅଭିପ୍ରେତ।
ନେତୃତ୍ୱର ୩ ସ୍ତମ୍ଭ ଆଦି କର୍ମଯୋଗୀ, ଆଦି ସହଯୋଗୀ ଓ ଆଦି ସାଥୀମାନଙ୍କ ଦ୍ୱାରା ଏହା କାର୍ଯ୍ୟକାରୀ ହେବ। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଦେଶର ୨୦ ଲକ୍ଷ ଆଦିବାସୀ ନେତାଙ୍କୁ ତାଲିମ ଓ ସଂଗଠିତ କରିବା। ଏହା ଦ୍ୱାରା ୧ ଲକ୍ଷ ଆଦି ସେବା କେନ୍ଦ୍ର ସ୍ଥାପନ କରାଯିବ । ପ୍ରତ୍ୟେକ ଗ୍ରାମରେ ଆଦି ସେବା କେନ୍ଦ୍ର ଖୋଲି ସବୁ ସରକାରୀ ସେବା ଯୋଗାଇ ଦିଆଯିବ।
ନୂଆପଡା ଜିଲାର ୯୧ ପଞ୍ଚାୟତ ଅନ୍ତର୍ଗତ ୨୬୦ ଗ୍ରାମର ୬୫ ହଜାର ୧୯୧ ଆଦିବାସୀ ଗୃହରେ ଏହି ଅଭିଯାନର ଲାଭ ପହଞ୍ଚାଇ ଦିଆଯିବ। ସରକାରୀ ଅଧିକାରୀମାନେ ଘର ଘର ବୁଲି ଆଦିବାସୀଙ୍କୁ ଆବାସ ଗୃହ, ପାନୀୟ ଜଳ ଯୋଗାଣ, ଉଜ୍ଜ୍ୱଳା ଯୋଜନା, ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁପାଳନ, ବିଦ୍ୟୁତ୍ ଯୋଗାଣ, ସୂର୍ଯ୍ୟ ଘର ଆଦି ଯୋଜନାର ସେବା ଯୋଗାଇବେ। ସବୁ ଆଦିବାସୀ ଗାଁ ପ୍ରବାସୀ ଶ୍ରମିକ ମୁକ୍ତ ହେବ ବୋଲି କୁହାଯାଇଛି। ଶେଷରେ ଜିଲାପାଳ ଉପସ୍ଥିତ ସମସ୍ତ କର୍ମଯୋଗୀଙ୍କୁ କର୍ତ୍ତବ୍ୟର ଶପଥପାଠ କରାଇଥିଲେ ।