Categories: Home Leftଖେଳ

ନିୟମ ଭାଙ୍ଗିଲେ ସର୍କଲରେ ରହିବେ ଅତିରିକ୍ତ ଫିଲ୍ଡର

ଦୁବାଇ,୭।୧: କ୍ରିକେଟର ସବୁଠାରୁ ଛୋଟ ଫର୍ମାଟ ଟି୨୦ରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଏକ ନୂଆ ନିୟମ ଲାଗୁ କରିଛି। ଧିମା ବୋଲିଂ ହାର ପାଇଁ ଏଥର କଡ଼ା ଦଣ୍ଡ ମିଳିବ। ଟି୨୦ ମ୍ୟାଚ୍‌ରେ ଏବେ ଡ୍ରିଙ୍କ୍ସ ଅଣାଯାଇପାରିବ।

ନୂଆ ନିୟମ ଅନୁସାରେ ଯଦି କୌଣସି ଦଳ ଓଭର ରେଟ୍‌ ଅନୁସାରେ ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ପଛରେ ପଡିଥିବ ତେବେ ବାକି ଥିବା ଓଭରଗୁଡିକରେ ସେହି ଦଳ ୩୦ ୟାର୍ଡ ସର୍କଲ ବାହାରେ ସେତିକି ଫିଲ୍ଡରଙ୍କ ସଂଖ୍ୟା ହ୍ରାସ କରାଯିବ। ଅର୍ଥାତ୍‌ ମନ୍ଥର ବୋଲି କଲେ ବାକି ଥିବା ଓଭରଗୁଡିକରେ ସମ୍ପୃକ୍ତ ଦଳକୁ ସର୍କଲ ବାହାରୁ ଜଣେ ଫିଲ୍ଡରଙ୍କୁ ହଟାଇ ୩୦ ୟାର୍ଡ ସର୍କଲ ଭିତରକୁ ଆଣିବାକୁ ପଡ଼ିବ। ଏଥିସହ ଦ୍ୱିପାକ୍ଷିକ ଟି୨୦ ମ୍ୟାଚ୍‌ରେ ଇଚ୍ଛାଧୀନ ଡ୍ରିଙ୍କ୍ସ ବ୍ୟବସ୍ଥା କରାଯାଇପାରିବ ବୋଲି କୁହାଯାଇଛି। ନୂଆ ନିୟମ ଲାଗୁ ହେବା ପରେ ମଧ୍ୟ ମନ୍ଥର ବୋଲିଂ ପାଇଁ ପୁରୁଣା ଦଣ୍ଡବିଧିର ନିୟମ ଜାରି ରହିବ। ମନ୍ଥର ବୋଲିଂ ପାଇଁ ପୂର୍ବରୁ ଖେଳାଳିମାନଙ୍କ ପାଉଣା ଜରିମାନା ଆକାରରେ କଟାଯାଉଥିଲା। ଏଥିସହ ଅଧିନାୟକଙ୍କ ଉପରେ ଡିମେରିଟ୍‌ ପଏଣ୍ଟ ଲାଗୁ କରାଯାଉଥିଲା।

ଜାନୁୟାରୀ ୧୬ ତାରିଖରେ ଓ୍ବେଷ୍ଟଇଣ୍ଡିଜ ଓ ଆୟର୍ଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ମ୍ୟାଚ୍‌ରେ ଏହି ନୂଆ ନିୟମ ପ୍ରଥମଥର ପାଇଁ ଲାଗୁ ହେବ। ଏ ନେଇ ଶୁକ୍ରବାର ଆଇସିସି ତରଫରୁ ଘୋଷଣା କରାଯାଇଛି। ସେହିପରି ୧୮ ତାରିଖରେ ଦକ୍ଷିଣ ଆଫ୍ରିକା ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ମହିଳା ଟି୨୦ ମ୍ୟାଚ୍‌ରେ ମଧ୍ୟ ଏହି ନିୟମ ପ୍ରଥମଥର ପାଇଁ ଲାଗୁ ହେବ। ନିୟମ ଅନୁସାରେ ମ୍ୟାଚ୍‌ର ପ୍ରଥମ ୬ ଓଭର ପରେ ସର୍କଲ ବାହାରେ ୫ଜଣ ଖେଳାଳିଙ୍କୁ ଫିଲ୍ଡିଂ କରିବାକୁ ଅନୁମତି ଦିଆଯାଉଥିଲା। ଆଇସିସି କ୍ରିକେଟ କମିଟି ନୂଆ ନିୟମ ଲାଗୁ ନେଇ ସୁପାରିସ କରିଥିଲା।