ଅଟା ପ୍ୟାକେଟରେ ନିଶା: ଲୋକଙ୍କ ଜୀବନ ନେଉଛି ଆମେରିକୀୟ ସହାୟତା

ଗାଜା ସିଟି,୨୮ା୬:୨୦୨୩ ଅକ୍ଟୋବରରୁ ଗାଜାରେ ହମାସ୍‌ ସହ ଯୁଦ୍ଧରତ ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌) ବିରୋଧରେ ଗମ୍ଭୀର ଅଭିଯୋଗ ମାମଲା ବଢ଼ିବାରେ ଲାଗିଥିବାବେଳେ ଏହାର ଆଉ ଏକ ସାଙ୍ଘାତିକ ବର୍ବର କାର୍ଯ୍ୟ ସାମନାକୁ ଆସିଛି। କେତେବେଳେ ନିରସ୍ତ୍ର ପାଲେଷ୍ଟିନୀୟଙ୍କୁ ହତ୍ୟା ପାଇଁ ଆଇଡିଏଫ୍‌ ସୈନ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଉଥିବାବେଳେ ଆଉ କେତେବେଳେ ସେମାନଙ୍କ ଖାଦ୍ୟରେ ନିଶା ଦିଆଯାଉଛି। କ୍ଷୁଧାର୍ତ୍ତ ପାଲେଷ୍ଟିନୀୟମାନେ ଅନ୍ତର୍ଜାତୀୟ ରିଲିଫ୍‌ କେନ୍ଦ୍ରକୁ ଖାଦ୍ୟ ପାଇଁ ଯାଉଥିବାବେଳେ ଇସ୍ରାଏଲ୍‌ର ଗୁଳିମାଡ଼ରେ ପ୍ରାଣ ହରାଉଛନ୍ତି। ଇସ୍ରାଏଲୀ ଖବରକାଗଜ ହାରେଜ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଖାଦ୍ୟ ପାଇଁ ଉଦ୍ଦିଷ୍ଟ ଯେଉଁ ବ୍ୟାଗ୍‌ଗୁଡ଼ିକୁ ଲୋକଙ୍କୁ ବଣ୍ଟନ କରାଯାଇଥିଲା, ସେଥିରେ ଅକ୍ସିଡୋନ୍‌ ଧରଣର ନିଶା ବଟିକା ମିଶାଯାଇଥିଲା। ଆମେରିକା ସମର୍ଥତ୍ତ ତଥା ଇସ୍ରାଏଲୀ ସେନା ଦ୍ୱାରା ପରିଚାଳିତ ଗାଜା ହ୍ୟୁମାନିଟାରିଆନ୍‌ ଫାଉଣ୍ଡେଶନ (ଜିଏଚ୍‌ଏଫ୍‌) ପକ୍ଷରୁ ଏପରି ଅଟା ପ୍ୟାକେଟ୍‌ ଯୋଗାଇ ଦିଆଯାଇଥିଲା। ଗତ ମାସରେ ଜିଏଚ୍‌ଏଫ୍‌ ପକ୍ଷରୁ ଖାଦ୍ୟ ବଣ୍ଟନ ଆରମ୍ଭ ହେବା ପରଠାରୁ ଡିଷ୍ଟ୍ରିବ୍ୟୁଶନ ସେଣ୍ଟରରେ ୫୪୯ରୁ ଅଧିକ ପାଲେଷ୍ଟିନୀୟଙ୍କୁ ହତ୍ୟା କରାଯାଇଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଭିଯୋଗ କରିଛି।