ଫସିଗଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା, Rajasthan Royalsର ମାଲିକ ଆଣିଲେ ସଙ୍ଗିନ ଅଭିଯୋଗ

ନୂଆଦିଲ୍ଲୀ,୨୬।୬: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ଏବଂ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଦଳ ରାଜସ୍ଥାନ ରୟାଲ୍ସ (ଆରଆର୍‌)ର ପୂର୍ବତନ ସହ-ମାଲିକ ରାଜ କୁନ୍ଦ୍ରା ସମସ୍ୟାରେ ପଡ଼ିଛନ୍ତି।
ରାଜସ୍ଥାନ ରୟାଲ୍ସର ବର୍ତ୍ତମାନର ମାଲିକ ମନୋଜ ବଡାଲେ ତାଙ୍କ ଉପରେ ‘ବ୍ଲାକମେଲିଂ’ ଅଭିଯୋଗ ଆଣିଛନ୍ତି। ମନୋଜ ୟୁକେର ଏକ କୋର୍ଟରେ କୁନ୍ଦ୍ରାଙ୍କ ବିରୋଧରେ ଆଇନଗତ ଲଢ଼େଇ ଆରମ୍ଭ କରିଛନ୍ତି।
ପ୍ରକୃତରେ, ୨୦୦୯ ମସିହାରେ ରାଜ କୁନ୍ଦ୍ରା ଏବଂ ଶିଳ୍ପା ସେଟ୍ଟୀ ଏକ ମରିସସ କମ୍ପାନୀର ସହାୟତାରେ ରାଜସ୍ଥାନ ରୟାଲ୍ସର ମାଲିକ ହୋଇଥିଲେ। ତାଙ୍କ ଦଳ (ରାଜସ୍ଥାନ ରୟାଲ୍ସ) ମଧ୍ୟ ପ୍ରଥମ ଆଇପିଏଲ ଟାଇଟଲ ଜିତିଥିଲା, କିନ୍ତୁ ୨୦୧୩ ଜୁନ ମାସରେ ଏହି ଦଳ ସମସ୍ୟାରେ ପଡ଼ିଥିଲା। ସେହି ସମୟରେ ରାଜ କୁନ୍ଦ୍ରାଙ୍କୁ ଦିଲ୍ଲୀ ପୋଲିସ ବେଟିଂ ଅଭିଯୋଗରେ ଗିରଫ କରିଥିଲା। ଏଥିପାଇଁ ସେ ବହୁତ ସମାଲୋଚନାର ସମ୍ମୁଖୀନ ହୋଇଥିଲେ।
ସୂଚନାଯୋଗ୍ୟ, ୨୦୦୯ ମସିହାରେ ରାଜ କୁନ୍ଦ୍ରା ଏବଂ ଶିଳ୍ପା ସେଟ୍ଟୀ ପ୍ରାୟ ୧୫.୪ ମିଲିୟନ ଡଲାରରେ ରାଜସ୍ଥାନ ରୟାଲ୍ସର ୧୧.୭% ଅଂଶଧନ କିଣିଥିଲେ, କିନ୍ତୁ ସ୍ପଟ ଫିକ୍ସିଂ ଅଭିଯୋଗ ପରେ ସେମାନଙ୍କୁ ନିଷିଦ୍ଧ କରାଯାଇଥିଲା। ରାଜସ୍ଥାନ ଦଳକୁ ୨ ବର୍ଷ ପାଇଁ ନିଷିଦ୍ଧ କରାଯାଇଥିଲା। ଏହା ପରେ ରାଜ କୁନ୍ଦ୍ରା ଏବଂ ଶିଳ୍ପା ସେଟ୍ଟୀ ଆଇପିଏଲରୁ ଅଲଗା ହୋଇଗଲେ। ଏହି ମାମଲା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।

Share