ଗଜରା ପିନ୍ଧିଥିବାରୁ ଏୟାରପୋର୍ଟରେ ଅଭିନେତ୍ରୀଙ୍କୁ ୧.୧୪ ଲକ୍ଷ ଜରିମାନା

ମେଲବୋର୍ନ,୯ା୯:ସାଧାରଣତଃ ଦକ୍ଷିଣ ଭାରତୀୟ ମହିଳାମାନେ କେଶରେ ଗଜରା ଲଗାଇବାକୁ ପସନ୍ଦ କରିଥାନ୍ତି। ତେବେ ମାଲୟାଲମ ଅଭିନେତ୍ରୀ ନାଭ୍ୟା ନାୟାରଙ୍କ ପାଇଁ ଏହା ମହଙ୍ଗା ପଡ଼ିଛି। ୧୫ ସେ.ମି. ଲମ୍ବା ମଲ୍ଲୀଫୁଲର ଗଜରା ପିନ୍ଧିଥିବାରୁ ଅଷ୍ଟ୍ରେଲିଆର ମେଲବୋର୍ନ ଅନ୍ତର୍ଜାତୀୟ ବିମାନବନ୍ଦରରେ ତାଙ୍କ ଉପରେ ୧୯୮୦ ଅଷ୍ଟ୍ରେଲୀୟ ଡଲାର (ପ୍ରାୟ ୧.୧୪ ଲକ୍ଷ ଟଙ୍କା)ର ଜରିମାନା କରାଯାଇଛି। ଅଷ୍ଟ୍ରେଲିଆରେ ମଲ୍ଲୀ ଫୁଲକୁ ନେଇ କଡ଼ା ନିୟମ ରହିଥିବାରୁ ନାଭ୍ୟାଙ୍କ ଉପରେ ଏହି ଜରିମାନା ହୋଇଛି।
ନିକଟରେ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ମାଲୟାଲୀ ଆସୋସିଏଶନ୍‌ ଦ୍ୱାରା ଆୟୋଜିତ ଓନମ ଉତ୍ସବରେ ଯୋଗଦେବାକୁ ନାଭ୍ୟା ଗତ ୬ରେ ମେଲବୋର୍ନ ଏୟାରପୋର୍ଟରେ ପହଞ୍ଚିଥିଲେ। ସେ କୋଚିରୁ ସିଙ୍ଗାପୁର ଦେଇ ମେଲବୋର୍ନରେ ପହଞ୍ଚିଥିଲେ। ତେବେ ମେଲବୋର୍ନ ଏୟାରପୋର୍ଟରେ ତାଙ୍କୁ ଅଟକାଯାଇଥିଲା ଏବଂ ମଲ୍ଲୀ ଫୁଲର ଗଜରା ପିନ୍ଧିଥିବାରୁ ତାଙ୍କ ଉପରେ ଜରିମାନା ଲଗାଯାଇଥିଲା। ସୋମବାର ଅଷ୍ଟ୍ରେଲିଆର ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ସୂଚନା ଦେଇ ନାଭ୍ୟା କହିଛନ୍ତି, ଅଷ୍ଟ୍ରେଲିଆ ଆସିବା ପୂର୍ବରୁ ତାଙ୍କ ବାପା ତାଙ୍କ ପାଇଁ ମଲ୍ଲୀ ଫୁଲର ଗଜରା କିଣିଥିଲେ। ସେ ଏହାକୁ ୨ ଭାଗରେ କାଟିଥିଲେ। ଏହାର ଗୋଟିଏ ଭାଗକୁ ନାଭ୍ୟା କୋଚିରୁ ସିଙ୍ଗାପୁର ଯାତ୍ରା କରିବା ସମୟରେ ପିନ୍ଧିଥିଲେ। ତେବେ ସିଙ୍ଗାପୁରରେ ପହଞ୍ଚିବା ବେଳକୁ ଉକ୍ତ ଗଜରା ନଷ୍ଟ ହୋଇଯିବାରୁ ସେ ତାଙ୍କ ହ୍ୟାଣ୍ଡ୍‌ବ୍ୟାଗ୍‌ରେ ରଖିଥିବା ଅନ୍ୟ ଗଜରାଟିକୁ ପିନ୍ଧି ସିଙ୍ଗାପୁରରୁ ମେଲବୋର୍ନ ଆସିଥିଲେ, ଯେଉଁଠାରେ ତାଙ୍କ ଉପରେ ଜରିମାନା ଲଗାଯାଇଥିଲା। ସେ ଅଜ୍ଞତାବଶତଃ ନିୟମ ଭାଙ୍ଗିଥିବା ନାଭ୍ୟା କହିଛନ୍ତି। ୨୮ ଦିନ ମଧ୍ୟରେ ଜରିମାନା ଭରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରକାଶ ଯେ, ଅଷ୍ଟ୍ରେଲିଆ ଏକ ଦ୍ୱୀପ ଦେଶ ହୋଇଥିବାବେଳେ ଏହାର ପରିସଂସ୍ଥା ଅତ୍ୟନ୍ତ ସମ୍ବେଦନଶୀଳ। ତେଣୁ ଏଠାକାର କୃଷି, ପରିବେଶ ଏବଂ ଜୈବ ବିବିଧତାକୁ ବିଦେଶୀ କୀଟପତଙ୍ଗ ଏବଂ ରୋଗରୁ ରକ୍ଷା କରିବା ପାଇଁ ମଲ୍ଲୀ ଫୁଲ ଭଳି ବିଭିନ୍ନ ସାମଗ୍ରୀ ଉପରେ ଅଷ୍ଟ୍ରେଲିଆରେ କଟକଣା ରହିଛି। ବିନା ଅନୁମତିରେ ଅନ୍ୟ ଦେଶରୁ ଅଷ୍ଟ୍ରେଲିଆକୁ ତାଜା ଫୁଲ, ଫଳ, ପନିପରିବା, ମସଲା ଆଦି ଜୈବିକ ପଦାର୍ଥ ଆଣିବା ଉପରେ କଡ଼ା ନିଷେଧ ରହିଛି।