ବଳାତ୍କାର ମାମଲାରେ ଅଭିନେତା ଦିଲୀପ ଦୋଷମୁକ୍ତ

କୋଚି,୯ା୧୨: ୨୦୧୭ରେ ମାଲୟାଲମ ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ଅଭିନେତା ଦିଲୀପଙ୍କୁ ଏର୍ନାକୁଲମ୍‌ ଡିଷ୍ଟ୍ରିକ୍ଟ ଓ ପ୍ରିନ୍ସିପାଲ ସେସନ୍ସ କୋର୍ଟ ଦୋଷମୁକ୍ତ କରିଛନ୍ତି। ଉକ୍ତ ରାୟ ବିରୋଧରେ ଅପିଲ କରିବାକୁ କେରଳ ସରକାର ସୋମବାର ଘୋଷଣା କରିଛନ୍ତି। ରାଜ୍ୟ ଆଇନମନ୍ତ୍ରୀ ପି. ରାଜୀଭ କହିଛନ୍ତି, ସରକାର ପୀଡ଼ିତାଙ୍କ ପଛରେ ଦୃଢ଼ ଭାବେ ଛିଡ଼ାହେବେ ଏବଂ ତାଙ୍କୁ ସମ୍ପୂର୍ଣ୍ଣ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରାଇବା ଲାଗି ସମସ୍ତ ଆବଶ୍ୟକ ଆଇନଗତ ପଦକ୍ଷେପ ନେବେ। ମୁଖ୍ୟ ଅଭିଯୁକ୍ତ ସୁନୀଲ ଏନ୍‌.ଏସ୍‌ ଓରଫ୍‌ ପୁଲସାର ସୁନିଙ୍କ ସମେତ ପ୍ରଥମରୁ ଷଷ୍ଠ ଅଭିଯୁକ୍ତଙ୍କୁ ଅଦାଲତ ଦୋଷୀସାବ୍ୟସ୍ତ କରିଥିବାବେଳେ ଉପଯୁକ୍ତ ପ୍ରମାଣ ଅଭାବରୁ ୭ମରୁ ୧୧ତମ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଦିଲୀପ ଏହି ମାମଲାରେ ଅଷ୍ଟମ ଅଭିଯୁକ୍ତ ଥିଲେ। ରାୟ ପ୍ରକାଶ ପାଇବା ପରେ ଦିଲୀପ କହିଛନ୍ତି, ତାଙ୍କୁ ବଦନାମ କରିବା ସହ କ୍ୟାରିୟର ନଷ୍ଟ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ଥିଲା।
ସୂଚନାଯୋଗ୍ୟ, ୨୦୧୭ ଫେବୃଆରୀ ୧୭ରେ ମାଲୟାଲମ ଚଳଚ୍ଚିତ୍ର ଶିଳ୍ପର ଜଣେ ଖ୍ୟାତନାମା ଅଭିନେତ୍ରୀଙ୍କୁ କେରଳର କୋଚି ନିକଟରେ ଅପହରଣ କରିନିଆଯାଇ ଚଳନ୍ତା କାର୍‌ରେ ବଳାତ୍କାର କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ୨୦ ବର୍ଷୀୟ ଅଭିନେତ୍ରୀ ବିଳମ୍ବିତ ରାତିରେ ଥ୍ରିସୁରରୁ କୋଚି ଫେରୁଥିବାବେଳେ ଗୋଟିଏ ଗାଡ଼ି ତାଙ୍କ କାର୍‌କୁ ପିଛା କରିଥିଲା। ୨ ଜଣ ବ୍ୟକ୍ତି ତାଙ୍କ କାର୍‌ରେ ପ୍ରବେଶ କରି ଡ୍ରାଇଭରଙ୍କୁ ଧମକ ଦେବା ସହ କୋଚି ଅଭିମୁଖେ ଚଲାଇବାକୁ କହିଥିଲେ। ଅଭିନେତ୍ରୀଙ୍କୁ କାର୍‌ରେ ୨ ଘଣ୍ଟା ପଣବନ୍ଦୀ ରଖାଯାଇ ଯୌନ ନିର୍ଯାତନା ଦିଆଯାଇଥିଲା। ଅପରାଧୀମାନେ ଅଭିନେତ୍ରୀଙ୍କୁ ବ୍ଲାକ୍‌ମେଲ୍‌ କରିବା ପାଇଁ ତାଙ୍କ ଫଟୋ ନେଇଥିଲେ। ପୀଡ଼ିତା ଅଭିନେତ୍ରୀ ନିର୍ଦ୍ଦେଶକଙ୍କ ଘରେ ପହଞ୍ଚତ୍ବା ପରେ ସେ ପୋଲିସକୁ ଜଣାଇଥିଲେ। ପୋଲିସ ତଦନ୍ତ କରି ଦିଲୀପଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଦିଲୀପ ଅପରାଧର ମାଷ୍ଟରମାଇଣ୍ଡ ଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଥିଲା।

 

Dharitri – The Largest & Most Trusted Odia Daily