ବେହେରା,୨୧ା୧୧(ଭୂପେଶ ତିୱାରୀ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଦଣ୍ଡପାଟ ଅଞ୍ଚଳରେ ମଣ୍ଡି ଆରମ୍ଭ ପୂର୍ବରୁ ଛତିଶଗଡ଼କୁ ଧାନ ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଅଞ୍ଚଳରେ ଧାନ ଅମଳ ପ୍ରକ୍ରିୟା ଆରମ୍ଭ ହୋଇଛି। ଜମିରେ ପ୍ରାୟ ୫୦ ପ୍ରତିଶତ ଧାନ ପାଚି ସାରିଥିବା ବେଳେ ଚାଷୀମାନେ ଧାନ କାଟିବା ଆରମ୍ଭ କରିଛନ୍ତି। ତେବେ ଏହାକୁ ଆଖିଆଗରେ ରଖି ଅଞ୍ଚଳରେ ଦଲାଲ ସକ୍ରିୟ ହୋଇପଡ଼ିଲେଣି।
ସେମାନେ ଗାଁ ଗାଁ ବୁଲି ସିଧାସଳଖ ଚାଷୀଙ୍କ ନିକଟରେ ପହଞ୍ଚି ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ଛତିଶଗଡ଼ର ଧାନ ବେପାରୀଙ୍କ ପାଇଁ କାମ କରୁଥିବା ଆଲୋଚନା ହେଉଛି। ଚାଷୀଙ୍କ କହିବାନୁସାରେ ଦଲାଲମାନେ ସେମାନଙ୍କ ପାଖରେ ପହଞ୍ଚି ଧାନ କୁଇଣ୍ଟାଲ ୧୪୦୦ରୁ ୧୮୦୦ ଟଙ୍କା ଦେବାକୁ କହୁଛନ୍ତି। ନୂଆ ସରକାର ଚାଷୀ ପ୍ରତି ଅଧିକ ଗୁରୁତ୍ୱ ଦେଉଥିବା ସତ୍ତ୍ବେ ଛତିଶଗଡ଼ର ବେପାରୀ ଓ ଦଲାଲ କିଭଳି ଗାଁରେ ବୁଲୁଛନ୍ତି ସେ ନେଇ ଚାଷୀମାନେ ପ୍ରଶ୍ନ ଉଠାଇଛନ୍ତି। ଏପରି କି ଅନେକ ସ୍ଥାନରେ ଧାନ ନେବାକୁ ଆସିଥିବା ଛତିଶଗଡ଼ର ଚାରିଚକିଆ ଗାଡ଼ି ବୁଲୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ପ୍ରଶାସନ ବେଳ ଥାଉ ପଦକ୍ଷେପ ନ ନେଲେ ଆଗକୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବା ଆଶଙ୍କା ପ୍ରକାଶ ପାଇଛି। ବିଶେଷକରି ଧର୍ମଗଡ଼ ଓ କୋକସରା ବ୍ଲକ୍ର ଦଣ୍ଡପାଟ ଅଞ୍ଚଳରେ ଏହି ଚୋରାଚାଲାଣ ବହୁଳ ମାତ୍ରାରେ ହୋଇଥାଏ। ତେଣୁ ଛତିଶଗଡ଼ ସୀମାନ୍ତ ଧଅଁରପୁର, ପାଇକପଡ଼ା, ବେହେରାଗୁଡ଼ା, ହାତୀପଖାନ, କଦଳୀମୁଣ୍ଡା, ସେମେଲା, ପର୍ଲା ରାସ୍ତାରେ ଚେକ୍ ଗେଟ୍ ସ୍ଥାପନ କରି ପୋଲିସ ଓ ପ୍ରଶାସନିକ ଅଧିକାରୀ ନିୟୋଜିତ କରାଯିବାକୁ ସାଧାରଣରେ ଦାବି ହୋଇଛି।
Dharitri – Odisha’s No.1 Odia Daily