କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହ ସେମାନଙ୍କ ପଦୋନ୍ନତି ମଧ୍ୟ ବନ୍ଦ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଗିଦ କରାଯାଇଛି।
କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମାରେ ଦେଶର ସମସ୍ତ ଆଇଏଏସ୍‌ ଅଫିସରଙ୍କ ପାଇଁ ବାର୍ଷିକ ସ୍ଥାବର ସମ୍ପତ୍ତି ଦାଖଲ (ଆଇପିଆର୍‌) ସମୟସୀମା ଆସନ୍ତା ବର୍ଷ ଜାନୁଆରୀ ୩୧ ଧାର୍ଯ୍ୟ କରାଯାଇଛି। ପର୍ଯ୍ୟାପ୍ତ ଯଥାର୍ଥ କାରଣ ନ ଥାଇ ଏଥିରେ କେହି ବିଫଳ ହେଲେ ସମ୍ପୃକ୍ତ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉଚିତ ସମୟରେ ଆଇପିଆର୍‌ ଫାଇଲିଂକୁ ବାଧ୍ୟତାମୂଳକ କରାଯିବା ସମ୍ପର୍କିତ ନିୟମରେ ସଂଶୋଧନ ଅଣାଯାଇଛି, ଯାହାକି ଅଫିସରମାନଙ୍କ ପରବର୍ତ୍ତୀ ପଦୋନ୍ନତି କ୍ଷେତ୍ରରେ ବିଚାରଯୋଗ୍ୟ ହେବ ବୋଲି ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।
୨୦୧୭ ଜାନୁଆରୀରେ କାର୍ମିକ ଓ ତାଲିମ ବିଭାଗ ଏସ୍‌ପିଏଆର୍‌ଆର୍‌ଓଡବ୍ଲ୍ୟୁ ମଡ୍ୟୁଲ ଜରିଆରେ ଆଇଏଏସ୍‌ ଅଫିସରମାନଙ୍କ ଆଇପିଆର୍‌ ଅନ୍‌ଲାଇନ୍‌ ଫାଇଲିଂ ବ୍ୟବସ୍ଥା କରିଥିଲା। ତେବେ ସେମାନଙ୍କ ସମ୍ପତ୍ତି ବିବରଣୀ ସମ୍ପର୍କିତ ଦସ୍ତାବିଜ ଇଲେକ୍ଟ୍ରୋନିକାଲି କିମ୍ବା ଆନୁଆଲି ଦାଖଲ କରିବା ପାଇଁ ଗତ ୨୩ରେ କେନ୍ଦ୍ର ସରକାରଙ୍କ ସବୁ ସଚିବ ଓ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି କରାଯାଇଛି। ୨୦୨୬ ଜାନୁଆରୀ ୩୧ ପରେ ୨୦୨୫ ବର୍ଷର ଆଇପିଆର୍‌ ଅନ୍‌ଲାଇନ୍‌ ମଡ୍ୟୁଲ ସ୍ବତଃ ବନ୍ଦ ହୋଇଯିବ। ତେଣୁ ଏହାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକାରୀ କରାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ପରାମର୍ଶ ଦିଆଯାଇଛି।

 

Dharitri – Odisha’s No.1 Odia Daily

 

Share