ତୈଳ ଡିପୋ ଉପରେ ବୋମାମାଡ଼ ପରେ ଇରାନରେ ଏସିଡ୍‌ ବର୍ଷା

ତେହରାନ୍‌,୧୦ା୩: ଇରାନ ରାଜଧାନୀ ତେହରାନ୍‌ରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ ରାଜଧାନୀ ସହରକୁ ଘନ କଳାଧୂଆଁର ବାଦଲ ଢାଙ୍କି ରହିଥିବାବେଳେ ଦୃଶ୍ୟମାନତା ହ୍ରାସ ପାଇଛି। ଏସିଡ୍‌ ବର୍ଷା ଯୋଗୁ ଘର ଓ କାର୍‌ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ବାଦଲ ସହ ହାଇଡ୍ରୋକାର୍ବନ ଏବଂ ଧୂଆଁ ମିଶି ଥିବାରୁ ଲୋକଙ୍କ ଶ୍ୱାସକ୍ରିୟା କଷ୍ଟକର ହୋଇପଡ଼ିଛି। ପ୍ରାୟ ୧୨ ନିୟୁତ ଲୋକ ରହୁଥିବା ତେହରାନ୍‌ରେ ତୈଳ ଡିପୋ ଉପରେ ଆକ୍ରମଣ ଯୋଗୁ ବ୍ୟାପକ ଜନସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି ହୋଇଛି। ଗଳାରେ ବ୍ୟଥା ଓ ଆଖି କୁଣ୍ଡେଇହେବା ସମସ୍ୟା ଦେଖାଦେଉଥିବା ଲୋକେ ଅଭିଯୋଗ କରିଛନ୍ତି। ଲୋକମାନଙ୍କୁ ଘରେ ରହିବା ପାଇଁ ପରିବେଶ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏସିଡ୍‌ ବର୍ଷା ମାନବ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ। ସେଥିରେ ସଲ୍‌ଫର, ନାଇଟ୍ରୋଜେନ୍‌ ଅକ୍ସାଇଡ ଓ ହାଇଡ୍ରୋକାର୍ବନ ଥାଇପାରେ ବୋଲି ଇରାନର ରେଡ୍‌ କ୍ରିସେଣ୍ଟ ସୋସାଇଟି ସତର୍କ କରାଇଛି। ତୈଳ ଅବାରିତ ଭାବେ ଜଳିଲେ ବାୟୁ ଓ ବର୍ଷା ବିଷାକ୍ତ ହେବାର ବୈଜ୍ଞାନିକ କାରଣ ରହିଛି। ଅଶୋଧିତ ତୈଳ ଜଳିଲେ ଅଙ୍ଗାରକାମ୍ଳ, ସଲ୍‌ଫର ଓ ନାଇଟ୍ରୋଜେନ୍‌ ଛାଡ଼ିଥାଏ। ସଲ୍‌ଫର ଅକ୍ସିଜେନ୍‌ ସଂସ୍ପର୍ଶରେ ଆସି ସଲ୍‌ଫର ଡାଇଅକ୍ସାଇଡ୍‌ ସୃଷ୍ଟି ହୋଇଥାଏ। ଅତ୍ୟଧିକ ଉତ୍ତାପ ଯୋଗୁ ନାଇଟ୍ରୋଜେନ୍‌ ଓ ଅକ୍ସିଜେନ୍‌ ମିଶି ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ ସୃଷ୍ଟି ହୁଏ। ଏହା ବାୟୁମଣ୍ଡଳର ନିମ୍ନ ସ୍ତରରେ ମିଶି ସୂର୍ଯ୍ୟକିରଣ ଓ ପ୍ରଦୂଷିତ କଣିକା ସହ ମିଶି ଏକାଧିକ ରାସାୟନିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ସଲ୍‌ଫର ଡାଇଅକ୍ସାଇଡ ସଲ୍‌ଫର ଏସିଡ୍‌ରେ ଏବଂ ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ ନାଇଟ୍ରିକ୍‌ ଏସିଡ୍‌ରେ ପରିଣତ ହୋଇ ବାଦଲର ଜଳକଣା ସହ ମିଶି ଏସିଡ୍‌ ବର୍ଷା କରିଥାଏ।

Dharitri – Odisha’s No.1 Odia Daily

Share